ଅକ୍ଷର ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କ ଦର୍ଶନ ନାଁରେ ଭକ୍ତଙ୍କୁ ଠକୁଥିବା ଦଲାଲ ଚକ୍ର ବିରୋଧରେ ପୁରୀ ପୋଲିସର ବଡ଼ ଅଭିଯାନ। ଶ୍ରୀମନ୍ଦିର ପରିସରରେ ନକଲି ଯାତ୍ରୀ ଗୁମାସ୍ତା ସାଜି ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରି ସହଜ ଦର୍ଶନର ପ୍ରଲୋଭନ ଦେଉଥିବା ଅଭିଯୋଗରେ ଗତ ୫ ଦିନ ମଧ୍ୟରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ, ଗୁପ୍ତ ସୂଚନା ଓ ଠୋସ୍ ପ୍ରମାଣ ଆଧାରରେ ଏହି ଅଭିଯୁକ୍ତମାନଙ୍କୁ ଧରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂହ।
ପୋଲିସ ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ଟାର୍ଗେଟ କରି ଏହି ନକଲି ଗୁମାସ୍ତାମାନେ ଟଙ୍କା ନେଇ ଶୀଘ୍ର ଦର୍ଶନ କରାଇବାର ପ୍ରତିଶୃତି ଦେଉଥିଲେ। ଏହାକୁ ନେଇ ଅନେକ ଅଭିଯୋଗ ମିଳିବା ପରେ ସିଂହଦ୍ୱାର ଥାନା ପୋଲିସ ବିଶେଷ ଅଭିଯାନ ଆରମ୍ଭ କରିଥିଲା। ପୋଲିସ ଚଢାଉ କରି ୫ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଆଜି ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ଅଭିଯୁକ୍ତଙ୍କ ଠାରୁ ନଗଦ ୨,୬୨୦ ଟଙ୍କା ସହ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଏହାକୁ ମିଶାଇ ଗତ ୫ ଦିନ ମଧ୍ୟରେ ମୋଟ ୧୧ ଜଣ ନକଲି ଗୁମାସ୍ତା ପୋଲିସ ଜାଲରେ ପଡ଼ିଛନ୍ତି।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଅନୁଧ୍ୟାନ କରିବା ସହିତ ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ଏହି ଗିରଫଦାରୀ ହୋଇଛି। ଏହି ଠକେଇ ଚକ୍ର ସହ ଆଉ କିଏ କିଏ ଜଡ଼ିତ ଅଛନ୍ତି ଏବଂ ଏହା ପଛରେ କୌଣସି ସଂଗଠିତ ଗ୍ୟାଙ୍ଗ କାର୍ଯ୍ୟ କରୁଛି କି ନାହିଁ, ସେନେଇ ତଦନ୍ତ ଚାଲିଥିବା ଏସପି ପ୍ରତୀକ ସିଂହ କହିଛନ୍ତି।
ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଆସୁଥିବା ବେଳେ ଏହି ଭିଡ଼ର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହେଉଥିବା ଅଭିଯୋଗ ହେଉଛି। ଅନେକ ଭକ୍ତଙ୍କ କହିବା ଅନୁଯାୟୀ, ଏହି ଦଲାଲମାନେ ଏକ ସଂଗଠିତ ଗ୍ୟାଙ୍ଗ ଭାବେ କାମ କରୁଛନ୍ତି ଏବଂ ଭକ୍ତଙ୍କ ଭାବନାକୁ ପୁଞ୍ଜି କରି ଲୁଟପାଟ ଚଳାଉଛନ୍ତି।
ଏହି ଘଟଣା ପରେ ପୁରୀ ଏସପି, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ଭକ୍ତ ଓ ସାଧାରଣ ଲୋକ। ଦଲାଲ ଚକ୍ର ପଛରେ ଥିବା ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି। ଭକ୍ତଙ୍କ ଆସ୍ଥାର କେନ୍ଦ୍ର ଶ୍ରୀମନ୍ଦିରରେ ଦଲାଲ ରାଜ ଉପରେ ପୋଲିସର ଏହି ଆକ୍ସନ କେତେଦୂର ପ୍ରଭାବଶାଳୀ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।











Leave a Reply