ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହେଉଛି ରଥ । ଚଳଚଞ୍ଚଳ ପୁରୀ ରଥଖଳା । ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ଗତକାଲି ତିନି ରଥର ଆଉ ୩ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ଶେଷ ହେବା ପରେ, ଅଖର ଉଭୟ ପାର୍ଶ୍ୱକୁ ଗୋଲେଇ କରିବା କାର୍ଯ୍ୟ ଜାରି ରହିଛି । ସେପଟେ ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୦ ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଲାଣି । ମଙ୍ଗଳବାର ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ରଥଖଳା ଓ କମାର ଶାଳ ପରିଦର୍ଶନ କରି ନିର୍ମାଣକାରୀଙ୍କ ସହ ରଥ ନିର୍ମାଣର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ଏନେଇ ବୈଠକ ହୋଇ ଶୃଙ୍ଖଳିତ ରଥ ନିର୍ମାଣ ଓ ଯାତ୍ରା ନେଇ ନିର୍ମାଣକାରୀଙ୍କ ଆଲୋଚନା କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ସୁଦ୍ଧା ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୩ ଗୋଟି ଲେଖାଏଁ ଚକ ତିଆରି ସରିଥିବା ବେଳେ, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୪ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ରଥର ପ୍ରଥମ ଭୂଇଁ ଓ ମଝି ଭୂଇଁ ପାଇଁ ଆବଶ୍ୟକ ୪ଟି ଲେଖାଏଁ ଭୂଇଁ ଖମ୍ବୀର ଚଉପଟ କାର୍ଯ୍ୟ ମଧ୍ୟ ସରିଛି । ରଥଯାତ୍ରା ପାଖେଇ ଆସୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ଦିନରାତି ଏକ କରି ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି ।












Leave a Reply