ଦୀର୍ଘ ୯ବର୍ଷ ପରେ ଶିଶୁଭବନର ସାତମହଲା କୋଠା ଉଦ୍‌ଘାଟିତ; ଲୋକାର୍ପଣ ପରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ।

ଶିଶୁଭବନରେ ସାତ ମହଲା କୋଠାର ହେଲା ଉଦ୍‌ଘାଟନ। ଦୀର୍ଘ ୯ ବର୍ଷ ପରେ ତଥା ୨୦୧୬ ଫେବ୍ରୁଆରି ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି।ଏହାର ଲୋକାର୍ପଣ ପରେ ଶିଶୁଭବନରେ ମୋଟ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ପାଇଛି। ଏହି ନୂଆ କୋଠା ପାଇଁ ୧୫୨.୯ କୋଟି ଟଙ୍କା ବ୍ୟୟ ହୋଇଛି। ନୂଆ କୋଠାରେ ଆଇସିୟୁ ପାଇଁ ୧୪୦ଟି, ନବଜାତ କେୟାର ପାଇଁ ୨୨୭ଟି, ଏସ୍‌ଏନ୍‌ସିୟୁ ପାଇଁ ୪୮ଟି , ଶିଶୁରୋଗ ମେଡିସିନ୍ ପାଇଁ ୨୫୯ଟି, ଶିଶୁରୋଗ (ନେଫ୍ରୋଲୋଜି)ପାଇଁ ୩୦ଟି, ସଂକ୍ରାମକ ରୋଗ ପାଇଁ ୨୬ଟି, ଶିଶୁରୋଗ ସର୍ଜରି ପାଇଁ ୬୦ଟି, ଏନ୍‌ଆର୍‌ସି ପାଇଁ ୧୦ଟି ଏବଂ କାଜୁଆଲିଟିରେ ଜରୁରୀ ସେବା ପାଇଁ ୪୬ଟି ଶଯ୍ୟାକୁ ଶ୍ରୀନଡ୍ଡା ଉଦଘାଟନ କରିଛନ୍ତି।

ଶିଶୁଭବନ ନୂଆ କୋଠାରେ ମାଗଣା ଔଷଧ ବଣ୍ଟନ ପାଇଁ ୪ଟି ଔଷଧ ବିତରଣ କେନ୍ଦ୍ର (ଡିଡିସି) ଏବଂ ୧୮୦ ଜଣ ଆବାସିକ ଡାକ୍ତରଙ୍କ ରହଣି ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି। ଶିଶୁଭବନରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀନଡ୍ଡା ଭୁବନେଶ୍ୱରରେ ମାଇକ୍ରୋବାୟୋଲୋଜିକାଲ୍ ଲାବୋରେଟୋରିର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ୪.୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଲାବୋରେଟୋରିରେ ଏଫ୍‌ଏସ୍‌ଏସ୍‌ଏଆଇ ମାନକ ଅନୁଯାୟୀ ଖାଦ୍ୟ ଏବଂ ପାଣି ନମୁନାଗୁଡ଼ିକର ମାଇକ୍ରୋବାୟୋଲୋଜିକାଲ୍ ପରୀକ୍ଷା କରାଯିବ। ଏହି କେନ୍ଦ୍ର ଭୁବନେଶ୍ୱର ଓଏସ୍‌ଏମ୍‌ସିଏଲ୍ କ୍ୟାମ୍ପସ୍‌ରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବୋରେଟୋରିରେ ପ୍ରତିଷ୍ଠା କରାଯିବ।

ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ୍‌, କଟକ ସଦର ବିଧାୟକ ପ୍ରକାଶ ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ସ୍ବାସ୍ଥ୍ୟ ସଚିବ ଅଶ୍ୱସ୍ତି ଏସ, ଅତିରିକ୍ତ ଡିଏମ୍‌ଇଟି ପ୍ରଫେସର ଡାକ୍ତର ବ୍ରଜକିଶୋର ଦାସ, ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର, ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀ (ଏଓ) ଜ୍ୟୋତ୍ସ୍ନା ନାୟକ, ଉପ ଅଧୀକ୍ଷକ ଡାକ୍ତର ବବଲିନା ମହାନ୍ତି, କଟକ ବଡ଼ ଡାକ୍ତରଖାନାର ଡିନ୍ ତଥା ପ୍ରିନସିପାଲ୍ ପ୍ରଫେସର ଡାକ୍ତର ଲୁସି ଦାସ, ପ୍ରଫେସର ଡାକ୍ତର ସୁନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)