କାଉଣ୍ଟରରେ ଟିକେଟ୍ ବିକ୍ରି ନେଇ କଟକ କମିସନରେଟ୍ ପୁଲିସ ପକ୍ଷରୁ ବଡ଼ ପ୍ରସ୍ତୁତି ।

ଅକ୍ଷର ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ପାଇଁ କଟକ କମିସନରେଟ୍ ପୁଲିସ ଏଥର ବଡ଼ ପ୍ରସ୍ତୁତି କରିଛି । ଏହାରି ଭିତରେ ଆଜି ଓ ଆସନ୍ତାକାଲି ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ । ୧୧ ହଜାର ଟିକେଟ୍‌ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । ଏଥିପାଇଁ କମିସନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍‌ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍‌ସ୍ପେକ୍ଟର ୪୦ ଜଣ, ଏସ୍‌ଆଇ ଓ ଏଏସ୍‌ଆଇ ୧୫୦ ଜଣ ନିୟୋଜିତ ହେବେ । 

ସେହିଭଳି ସ୍ପେଶାଲ ଏନ୍‌କ୍ଲୋଜର, ଏସି ବକ୍ସ, କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସଗେଟ୍ ନିକଟରେ ହେବ । ଏଠି ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର୍‌ ରହିବ । କାଉଣ୍ଟର୍‌ ଗୁଡ଼ିକରେ ଅଧିକ ବ୍ୟାରିକେଡ୍ ସହିତ ଯେଭଳି ଟିକଟ କଳାବଜାର ନହୁଏ ସେଥିପାଇଁ ପ୍ରାୟ ୫୦ ସିସି କ୍ୟାମେରା ଲାଗିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)