ଆଜି ସନ୍ଧ୍ୟାରେ ବାତ୍ୟା, କାଲି ଭୀଷଣ ରୂପ ନେବ; ୧୪୫ କିମି ବେଗରେ ବହିବ ପବନ!

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ଭୟ! ଧୀରେ ଧୀରେ ଶକ୍ତିଶାଳୀ ହେଉଛି ଗଭୀର ଅବପାତ। ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବାକୁ ଥିବା ବେଳେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ପରେ ଅଧିକ ଶକ୍ତି ସଞ୍ଚୟ କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ିଯିବ। ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିପାରେ। ଏପରିକି ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁବା ନେଇ ଆକଳନ କରାଯାଇଛି।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ପ୍ରାୟ ୬ କିଲୋମିଟର ବେଗରେ ଆଗକୁ ବଢ଼ିଛି। ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ଏହା ୧୧.୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୬.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ବର୍ତ୍ତମାନ ଏହା ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ପ୍ରାୟ ୬୩୦ କିଲୋମିଟର, ଆଣ୍ଡାମାନର ଶ୍ରୀବିଜୟପୁରମଠାରୁ ୬୯୦ କିଲୋମିଟର ଏବଂ ଚେନ୍ନାଇଠାରୁ ୭୦୦ କିଲୋମିଟର ଦୂରରେ ରହିଛି। ସମୁଦ୍ର ମଧ୍ୟରେ ଏହାର ଗତି ଓ ଶକ୍ତି ବୃଦ୍ଧି ଉପରେ ପାଣିପାଗ ବିଭାଗ ନଜର ରଖିଛି। ଆନ୍ଧ୍ର ଉପକୂଳରେ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ଏବଂ ୧୪୫ କିଲୋମିଟର ପର୍ଯ୍ୟନ୍ତ ଝଟକା ପବନର ଆଶଙ୍କା ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜରୁରୀ ହୋଇପଡ଼ିଛି। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial