ଅକ୍ଷର ବ୍ୟୁରୋ: ଶେଷ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ। ଏବେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ତିନି ରଥ ଭଙ୍ଗା କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜିଠାରୁ ଭୋଇ ସେବକମାନେ ରଥଭଙ୍ଗା କାମ ଆରମ୍ଭ କରିଛନ୍ତି। ଭୋଇ ସର୍ଦ୍ଧାର ଅନୁକୂଳ କରିବା ପରେ ପ୍ରଥମେ କଳସରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ପାରାଭାଡି ଏବଂ ଦ୍ୱାରବେଢା ଭଙ୍ଗାଯାଇଛି।
ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ଏହା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ରଥର ପ୍ରତ୍ୟେକ ଅଂଶକୁ ପର୍ଯ୍ୟାୟକ୍ରମେ ଖୋଲାଯିବ। ତିନି ରଥକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ସାଧାରଣତଃ ୧୦ରୁ ୧୨ ଦିନ ସମୟ ଲାଗିଥାଏ। ଏହି ସମୟ ମଧ୍ୟରେ ରଥର ବିଭିନ୍ନ ଅଂଶକୁ ସୁରକ୍ଷିତ ଭାବେ ଖୋଲାଯିବ। ତିନି ରଥ ସମ୍ପୂର୍ଣ୍ଣ ଭାଙ୍ଗିବା ପରେ ବାହାରୁଥିବା ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମାରେ ରହିବ। ଏହି କାଠକୁ ଶ୍ରୀମନ୍ଦିରର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ।
ରଥଭଙ୍ଗା ସମୟରେ ବାହାରୁଥିବା ଲୁହା କଣ୍ଟାକୁ ନେଇ ମଧ୍ୟ ଏକ ପାରମ୍ପରିକ ବିଶ୍ୱାସ ରହିଛି। ବିଶେଷକରି ଦେବୀ ସୁଭଦ୍ରାଙ୍କ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳ ନଦେଉଥିବା ଗଛରେ ବାଡ଼େଇଲେ ଗଛରେ ଫଳ ଧରେ ବୋଲି ଲୋକବିଶ୍ୱାସ ରହିଛି। ଏହି କାରଣରୁ ଅନେକ ଭକ୍ତ ରଥଭଙ୍ଗା ସମୟରେ ଏହି କଣ୍ଟା ସଂଗ୍ରହ କରିଥାନ୍ତି।ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥ ଭଙ୍ଗା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଅନଧିକୃତ ଭାବେ ରଥ ନିକଟକୁ ଲୋକଙ୍କ ପ୍ରବେଶ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଭଳି ଭାବେ ରଥଯାତ୍ରାର ଭବ୍ୟତା ପରେ ଏବେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ତିନି ରଥର ବିସର୍ଜନ ପର୍ଯ୍ୟାୟ।












Leave a Reply