ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମଙ୍ଗଳବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୮ଟା ୩୯ ମିନିଟ୍ ସମୟରେ ହଠାତ୍ ମାଟି ଥରିବା ଅନୁଭବ ହେବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଅଧିକାଂଶ ଲୋକ ଭୟରେ ଘରୁ ବାହାରି ଆସିଥିଲେ। ଲକ୍ଷ୍ମୀପୁର ବସ୍ଷ୍ଟାଣ୍ଡ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଅନୁଭବ କରି କିଛି ବ୍ୟବସାୟୀ ନିଜ ଦୋକାନରୁ ବାହାରକୁ ଚାଲି ଆସିଥିଲେ।
ହଠାତ୍ ଭୂମିକମ୍ପ ଅନୁଭବ ହେବା ପରେ ଲୋକେ ପରସ୍ପରକୁ ଫୋନ୍ କରି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। କେଉଁ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହେଲା ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି କି ନାହିଁ, ସେନେଇ ଲୋକେ ପରସ୍ପର ସହ ଯୋଗାଯୋଗ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗତ କିଛି ଦିନ ପୂର୍ବରୁ ମଧ୍ୟ ଅଞ୍ଚଳରେ ଏଭଳି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ପୁଣି ଚିନ୍ତା ବଢ଼ିଛି। ମୃଦୁ ଭୂମିକମ୍ପ ହେଲେ ମଧ୍ୟ ଏହାର ଝଟକାରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବିଶେଷକରି ରାତି ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଅନେକ ଲୋକ ଘର ଭିତରେ ରହିବାକୁ ନିରାପଦ ମନେ କରିନଥିଲେ। ତେବେ ଏହି ଭୂମିକମ୍ପର ତୀବ୍ରତା, କେନ୍ଦ୍ରସ୍ଥଳ ଓ କ୍ଷୟକ୍ଷତି ସମ୍ପର୍କିତ ନିଶ୍ଚିତ ତଥ୍ୟ ମିଳିବା ପରେ ହିଁ ଘଟଣାର ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।












Leave a Reply