ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଦୃଶ୍ୟ; ନ୍ୟାୟ ଦାବିରେ ୧୫ କିମି ସାଇକେଲରେ ମୃତଦେହ ବୋହିଲେ ପରିବାର ଲୋକ ।

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ହରିପୁର ଗାଁରୁ ସାମ୍ମାକୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ନ୍ୟାୟ ଦାବିରେ ୧୫ କିମି ସାଇକେଲରେ ମୃତଦେହ ବୋହିଲେ ପରିବାର ଲୋକ । ଗତ ୧୦ ତାରିଖରେ ଘର ଛାତ ପକେଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପଡୋଶୀ ଭରତ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାରକୁ କୋଦାଳରେ ଆକ୍ରମଣ କରିଥିଲେ । ଏହି ରକ୍ତାକ୍ତ ସଂଘର୍ଷରେ ସୁରେନ୍ଦ୍ରଙ୍କ ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଶକୁନ୍ତଳା ଗୁରୁତର ଅବସ୍ଥାରେ SCBରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଖଇରା ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି କମଳା ସେଠୀଙ୍କ ଶବ ଘରେ ପହଞ୍ଚିବା ପରେ ଆଜି ସକାଳୁ ଗାଁ ଲୋକେ ଶବକୁ ସାଇକେଲରେ ନେଇ ଖଇରା ଥାନାକୁ ଯାଉଛନ୍ତି । 

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ହରିପୁର ଗାଁରେ ସୁରେନ୍ଦ୍ର ସେଠୀଙ୍କ ଘର ଛାତ ପଡ଼ିବା ଲାଗି ସେଣ୍ଟ୍ରିଙ୍ଗ କାମ ହେଉଥିଲା । ଏହି ସମୟରେ ସେଣ୍ଟ୍ରିଙ୍ଗ ପଟା ପଡ଼ୋଶୀ ଭରତ ଜେନାଙ୍କ ସୀମାକୁ ବଢ଼ି ଯାଇଥିବାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଭାରତ ଏବଂ ତାଙ୍କ ପୁଅ ମାନସ ଉତ୍ତ୍ୟକ୍ତ ହୋଇ ସୁରେନ୍ଦ୍ରଙ୍କ ଭଉଣୀ କମଳା, ତାଙ୍କ ଭାଉଜ ଶକୁନ୍ତଳାଙ୍କୁ ତେଲେଙ୍ଗା କଟୁରି, କୋଦାଳରେ ମୁଣ୍ଡକୁ ହାଣିବା ସହ ଏକ ହାତୁଡ଼ିରେ ପିଟିଥିଲେ । ଉଭୟ ଗୁରୁତରଙ୍କୁ ପରିବାର ଲୋକେ ଖଇରା ମେଡିକାଲକୁ ଆଣିଥିଲେ । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଦ୍ରକ ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରବିବାର ରାତିରେ ସେଠାରେ କମଳାଙ୍କ ମୃତ୍ୟୁ ଘଟିଛି । ସୁରେନ୍ଦ୍ର ଏ ନେଇ ଖଇରା ଥାନାରେ ଅଭିଯୋଗ କରିବା ପରେ ଖଇରା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ କୋଦାଳ ଏବଂ ଏକ ହାତୁଡ଼ି ଜବତ କରିଛି । ଏହା ସହିତ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି ଖଇରା ପୋଲିସ । ତେବେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମଳାଙ୍କ ଶବକୁ ସାଇକେଲ୍ ରେ ବୋହି ଥାନା ଆଗରେ ପ୍ରତିବାଦ କରିଛନ୍ତି ପୀଡ଼ିତଙ୍କ ପରିବାର  ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)