ମୁଣ୍ଡଳିରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା ଜଳ ମୁଣ୍ଡଳିରେ ପହଞ୍ଚିଛି ।ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା କରାଯାଉଛି। ପାଣି ଆସିବା ଫଳରେ ବାଙ୍କୀର ତାଳବସ୍ତ, ଶିମିଳିପୁର ଓ ଆଠଗଡ଼ ପ୍ରଭାବିତ ହେବ। ତେବେ ମହାନଦୀର ତଳ ମୁଣ୍ଡରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।
ଏପଟେ ଆଜି ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷିବ। ଭୀଷଣ ବର୍ଷା ସହ ବଜ୍ରପାତ ପାଇଁ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଡୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଯାଜପୁରରେ ସ୍ଥିତି ଖରାପ । ବୈତରଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି । ତେବେ ଲଗାଣ ବର୍ଷା ସାଂଗକୁ ନଦୀର ଜଳ ସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ପରିସ୍ଥିତି ଉପୁଜିନଥିବା ଏବଂ ପ୍ରଶାସନ ବନ୍ୟା ନିୟନ୍ତ୍ରଣ ଲାଗି ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଯାଜପୁର ଦଶରଥପୁର ବ୍ଲକ ନିଜାମପୁର ନୂଆପାଟଣା ନିକଟରେ ନଦୀ ପାଣି ମାଡରେ ୧୦ ଫୁଟରୁ ଉର୍ଦ୍ଧ୍ବ ପଠା ଧସିଥିବା କାରଣରୁ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ବଲହା ଓ ବାଲି ବସ୍ତା ଦେଇ ଅସ୍ଥାୟୀ ମରାମତି ସରିଛି । ନଦୀ ମଝିରେ ପୂର୍ତ୍ତ ବିଭାଗ ନବ ନିର୍ମିତ ସେତୁ ନିକଟରେ ପୋତା ଯାଇଥିବା ବଲହା ସହ ଥିବା ମାଟି ଦ୍ବୀପରେ ପାଣି ମାଡ଼ ହେଉଥିବା କାରଣରୁ ନଦୀ ପଠାକୁ ପାଣି ଖାଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ, ଜଳସମ୍ପଦ ବିଭାଗ , ପୂର୍ତ୍ତ ବିଭାଗର ଅଧିକାରୀମାନେ ସ୍ଥିତି ସମୀକ୍ଷା କରିଛନ୍ତି ।












Leave a Reply