ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ଟି ଡଙ୍ଗା; ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୃତି ଆରମ୍ଭ ।

ଅକ୍ଷର ବ୍ୟୁରୋ: ଆଜି ଚୈତ୍ର ପୂର୍ଣ୍ଣିମା । ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ଟି ଡଙ୍ଗା । ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା । ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ । ସବୁ ବର୍ଷ ଚନ୍ଦନଯାତ୍ରା ପରେ ନନ୍ଦା ଓ ଭଦ୍ରା ଚାପ ସହ ଵୈଜନ୍ତରୀ ଡଙ୍ଗାକୁ ପାଣିରେ ବୁଡ଼ାଇ ଦିଆଯାଇଥାଏ । ଏଥିପାଇଁ ଚୈତ୍ର ପୂର୍ଣ୍ଣିମା ଅବସରରେ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବାୟତମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢିଛନ୍ତି ।

ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତରୀ ଡଙ୍ଗାକୁ ମିଶାଇ ପାଞ୍ଚୋଟି ଡଙ୍ଗା କଢାଯାଇଛି । ଏହି ଡଙ୍ଗାଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ । ଆଜି ପରମ୍ପରା ମୁତାବକ ଏହି ସମସ୍ତ ଡଙ୍ଗାକୁ କଢାଯାଇ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୃତି କରାଯାଇଥାଏ । ଆଗାମୀ ମେ ୩ ତାରିଖରେ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ୨୧ ଦିନଧରି ଜଳକ୍ରୀଡ଼ା କରିବେ ମହାପ୍ରଭୁ । ସୂଚନା ଯୋଗ୍ୟ, “ଚନ୍ଦନଯାତ୍ରା” ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି । ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ । ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)