ପୁରୀ: ଗଭୀର ଅବପାତର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ପୁରୀ ସମୁଦ୍ର। ପ୍ରବଳ ପବନ ସାଙ୍ଗକୁ ଲଗାତାର ବର୍ଷା ଯୋଗୁଁ ସମୁଦ୍ର ଫୁଲିଉଠିଥିବା ବେଳେ ମଙ୍ଗଳା ମୁହାଣ ନିକଟରେ ସମୁଦ୍ର କୂଳ ଲଙ୍ଘିଛି। ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ବେଳାଭୂମିରେ ବାଲି ଅତଡ଼ା ଖସିବା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ବଳିଆପଣ୍ଡାରୁ ହୋଟେଲ୍ ଷ୍ଟର୍ଲିଂ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଅଞ୍ଚଳରେ ବାଲି ଅତଡ଼ା ଖସିଛି। ସମୁଦ୍ରର ଏଭଳି ଉଗ୍ର ରୂପକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି। ସମୁଦ୍ରର ଗତିବିଧି ଓ ବେଳାଭୂମିର ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି। ଇରିଗେସନ୍ ଓ ଡ୍ରେନେଜ୍ ବିଭାଗ ସହ ସମନ୍ୱୟ ରଖି ସ୍ଥିତି ଅନୁଧ୍ୟାନ କରାଯାଉଛି। ବୈଷୟିକ ଟିମ୍ର ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଗଭୀର ଅବପାତର ପ୍ରଭାବ ଜାରି ରହିଥିବାରୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ, ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶ ମାନିବାକୁ କୁହାଯାଇଛି।
ପୁରୀ ସମୁଦ୍ରରେ ଭୟଙ୍କର ତାଣ୍ଡବ, ମଙ୍ଗଳା ମୁହାଣରେ କୂଳ ଲଙ୍ଘିଲା ସମୁଦ୍ର














Leave a Reply