ଅକ୍ଷର ବ୍ୟୁରୋ: ଧର୍ମ ଓ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ସିଂହସ୍ଥ ୨୦୨୮ ପ୍ରସ୍ତୁତି ମଧ୍ୟରେ ଚର୍ଚ୍ଚାରେ ଆସିଛି ଏକ ନିଆରା ଘଟଣା। ରାସ୍ତା ପ୍ରଶସ୍ତୀକରଣ ପାଇଁ ଐତିହାସିକ ମନ୍ଦିରକୁ ହଟାଯାଉଥିବା ବେଳେ ୧୭୦ ବର୍ଷ ପୁରୁଣା ଖଡ଼େ ହନୁମାନଙ୍କ ମୂର୍ତ୍ତିକୁ ନୂଆ ସ୍ଥାନକୁ ଘୁଞ୍ଚାଇବାରେ ବିଫଳ ହୋଇଛି ପ୍ରଶାସନର ପ୍ରୟାସ। ବଡ଼ ବଡ଼ JCB ଓ କ୍ରେନ୍ ବ୍ୟବହାର ସତ୍ତ୍ୱେ ମୂର୍ତ୍ତିଟି ନିଜ ସ୍ଥାନରୁ ହଲିନଥିବା ଜଣାପଡ଼ିଛି। ଉଜ୍ଜୟିନୀର ସତୀ ଗେଟ୍ ନିକଟରେ ଥିବା ପ୍ରଭୁ ହନୁମାନଙ୍କ ଏହି ପ୍ରାଚୀନ ମୂର୍ତ୍ତି ପ୍ରାୟ ୮ ଫୁଟ୍ ଉଚ୍ଚ। ସିଂହସ୍ଥ ୨୦୨୮ ପାଇଁ ରାସ୍ତା ପ୍ରଶସ୍ତୀକରଣ କାମ ଚାଲିଥିବାରୁ ପ୍ରଶାସନ ପକ୍ଷରୁ ମନ୍ଦିର ଗଠନକୁ ଭାଙ୍ଗି ଦିଆଯାଇଛି। ଏହାପରେ ମୂର୍ତ୍ତିକୁ ନୂଆ ସ୍ଥାନକୁ ନେବା ପାଇଁ ପ୍ରାୟ ୪୦ରୁ ୪୮ ଘଣ୍ଟା ଧରି ପ୍ରୟାସ କରାଯାଇଥିଲା।
ମୂର୍ତ୍ତିକୁ ଘୁଞ୍ଚାଇବା ପାଇଁ ଅତିକମରେ ୪ ଥର ଭାରି JCB ମେସିନ୍ ଓ କ୍ରେନ୍ର ସହାୟତା ନିଆଯାଇଥିଲା। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ମୂର୍ତ୍ତିଟି ନିଜ ସ୍ଥାନରୁ ଟିକିଏ ମଧ୍ୟ ହଲିନଥିବା ଜଣାପଡ଼ିଛି। ମୂର୍ତ୍ତି ସ୍ଥାନାନ୍ତର ପ୍ରକ୍ରିୟା ସମୟରେ ପ୍ରଥମ ଦିନ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ସେହିପରି ଦ୍ୱିତୀୟ ଦିନ ପ୍ରବଳ ବର୍ଷା ହେବାରୁ କାମ ବନ୍ଦ ରଖିବାକୁ ପଡ଼ିଥିଲା।ଅନ୍ୟପକ୍ଷରେ, ଅଧିକ ବଳ ପ୍ରୟୋଗ କଲେ ପ୍ରାଚୀନ ପଥର ମୂର୍ତ୍ତିରେ ଫାଟ ସୃଷ୍ଟି ହେବା କିମ୍ବା ମୂର୍ତ୍ତି ଭାଙ୍ଗିଯିବାର ଆଶଙ୍କା ରହିଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ଚେତାବନୀ ଦେଇଛି। ଏହାପରେ ପ୍ରଶାସନ ବର୍ତ୍ତମାନ ମୂର୍ତ୍ତି ସ୍ଥାନାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖିଛି।
ସେପଟେ ମୂର୍ତ୍ତି ଉପରେ ଏକ ଅସ୍ଥାୟୀ ଚାଳିଆ ନିର୍ମାଣ କରାଯାଇଛି। ଆଗକୁ ପୁଣି କୌଣସି ପଦକ୍ଷେପ ନେବା ପୂର୍ବରୁ ମୂର୍ତ୍ତିର ମୂଳଦୁଆକୁ ଆଧୁନିକ ବୈଷୟିକ ସ୍କାନିଂ କରିବାକୁ ଯୋଜନା ଚାଲିଛି। ସ୍ଥାନୀୟ ଶ୍ରଦ୍ଧାଳୁ, ପୂଜକ ଓ ହିନ୍ଦୁ ସଂଗଠନଗୁଡ଼ିକ ଏହି ଘଟଣାକୁ ନିଜ ଧାର୍ମିକ ବିଶ୍ୱାସ ସହ ଯୋଡ଼ି ଦେଖୁଛନ୍ତି। ମୂର୍ତ୍ତି ନିଜ ସ୍ଥାନରୁ ଘୁଞ୍ଚିବାକୁ ଚାହୁଁନଥିବା ନେଇ ସେମାନେ ବିଶ୍ୱାସ ପ୍ରକାଶ କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଆହୁରି ବଢ଼ିଛି। ମନ୍ଦିର ଭଙ୍ଗାଯିବା ସମୟରେ ସେଠାରେ ବହୁ ସଂଖ୍ୟାରେ ମାଙ୍କଡ଼ ବା ବାନର ରୁଣ୍ଡ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିବା କୁହାଯାଇଛି। ଏହାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୂର୍ତ୍ତିର ସମ୍ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ ନହେବା ପର୍ଯ୍ୟନ୍ତ କୌଣସି ଜୋରଜବରଦସ୍ତ ପଦକ୍ଷେପ ନନେବାକୁ ମନ୍ଦିରର ମୁଖ୍ୟ ପୂଜକ ପ୍ରଶାସନକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମୂର୍ତ୍ତିର ସୁରକ୍ଷାକୁ ପ୍ରାଥମିକତା ଦେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଚାଲିଛି।













Leave a Reply