ପ୍ରବଳ ବର୍ଷାରେ ଜମ୍ମୁ-କଶ୍ମୀର ବେହାଲ! କିସ୍ତୱାର-ଡୋଡାରେ ଭୟଙ୍କର ଭୂସ୍ଖଳନ, ପୋତିଗଲା କାଦୁଅ ତଳେ ଗାଡ଼ି

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାର ପ୍ରକୋପରେ ଜମ୍ମୁ-କଶ୍ମୀରର କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟିଥିବାବେଳେ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି। କିସ୍ତୱାରର କ୍ୱାର୍ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ ନିକଟରେ ବଡ଼ ଧରଣର ଭୂସ୍ଖଳନ ଘଟି ଅନେକ ଗାଡ଼ି କାଦୁଅ ଓ ପଥର ତଳେ ପୋତି ହୋଇଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ସୋମବାର ସକାଳେ ହୋଇଥିବା ଏହି ଭୂସ୍ଖଳନରେ ପ୍ରକଳ୍ପ ନିକଟରେ ପାର୍କିଂ କିମ୍ବା ଚଳାଚଳ କରୁଥିବା ଅନେକ ଗାଡ଼ି ମାଟି ଓ କାଦୁଅ ତଳେ ଚାପି ହୋଇଯାଇଥିଲା। ଅନେକ ଯାନ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଫସି ରହିଥିବା ଗାଡ଼ିଗୁଡ଼ିକୁ ବାହାର କରିବା ପାଇଁ ଜେସିବି ଓ ଅନ୍ୟାନ୍ୟ ଭାରୀ ଯନ୍ତ୍ର ସାହାଯ୍ୟରେ କାଦୁଅ ହଟାଇବା କାମ ଜୋରଦାର ଚାଲିଛି। ଉଦ୍ଧାରକାରୀ ଟିମ୍ ସମ୍ଭାବ୍ୟ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ନିୟୋଜିତ ରହିଛନ୍ତି।

ଅନ୍ୟପଟେ ଡୋଡା ଜିଲ୍ଲାରେ ମଧ୍ୟ ଅବିରତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ସୂଚନା ମିଳିନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଡୋଡା-କିସ୍ତୱାର ମୁଖ୍ୟ ସଡ଼କରେ ମଧ୍ୟ ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବଡ଼ ବଡ଼ ପଥର ଖଣ୍ଡ, ମାଟି ଓ କାଦୁଅ ରାସ୍ତା ଉପରେ ଜମି ରହିଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ସଡ଼କକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ପ୍ରଶାସନ, ଉଦ୍ଧାରକାରୀ ଟିମ୍ ଓ ଭାରୀ ଯନ୍ତ୍ରପାତି ମୁତୟନ କରାଯାଇଛି।

ପ୍ରଶାସନ ପକ୍ଷରୁ ସମଗ୍ର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ପାହାଡ଼ିଆ ଅଞ୍ଚଳରେ ବର୍ଷା ଜାରି ଥିବାରୁ ଆହୁରି ଭୂସ୍ଖଳନର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କୁ ଅନାବଶ୍ୟକ ଯାତ୍ରା ନ କରିବା ସହ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)