ଆଜିଠାରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ: ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପ୍ରଥମ ଦର୍ଶନ, ମୋଦିଙ୍କ ୫ ସଂକଳ୍ପର ବାର୍ତ୍ତା

ଅକ୍ଷର ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ହିନ୍ଦୁମାନଙ୍କ ଅନ୍ୟତମ ପବିତ୍ର ତୀର୍ଥଯାତ୍ରା ଅମରନାଥ ଯାତ୍ରା। ବର୍ଷା ସତ୍ତ୍ୱେ ଜମ୍ମୁ-କଶ୍ମୀରର ବାଲଟାଲ ଓ ପହଲଗାମ ବେସ୍ କ୍ୟାମ୍ପରୁ ପ୍ରଥମ ଶ୍ରଦ୍ଧାଳୁ ବ୍ୟାଚ୍ ବାବା ବରଫାନୀଙ୍କ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମ ଦଳରେ ୧୦ ହଜାରରୁ ଅଧିକ ଶିବଭକ୍ତ ସାମିଲ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ବାଲଟାଲ ରୁଟ୍‌ରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନେ ଆଜି ସନ୍ଧ୍ୟା ସୁଦ୍ଧା ବାବା ବରଫାନୀଙ୍କ ପବିତ୍ର ହିମଲିଙ୍ଗ ଦର୍ଶନ କରିବେ। ଅନ୍ୟପଟେ, ପହଲଗାମ ରୁଟ୍‌ ଦେଇ ଯାଉଥିବା ଭକ୍ତମାନେ ଆସନ୍ତାକାଲି ଅପରାହ୍ନରେ ପବିତ୍ର ଗୁମ୍ଫାରେ ପହଞ୍ଚି ଦର୍ଶନ କରିବେ। ଚଳିତ ବର୍ଷର ଅମରନାଥ ଯାତ୍ରା ୨୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅମରନାଥ ଯାତ୍ରାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ୫ଟି ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି।

ଚିଠିରେ ସେ ଲେଖିଛନ୍ତି, “ହର ହର ମହାଦେବ! ଜୟ ବାବା ବରଫାନୀ। ଅମରନାଥ ଯାତ୍ରାରେ ସାମିଲ ହେବା ପ୍ରତ୍ୟେକ ଶିବଭକ୍ତଙ୍କ ପାଇଁ ଏକ ମହାନ ସୌଭାଗ୍ୟ। ବାବା ବରଫାନୀଙ୍କ ଦର୍ଶନ ଜୀବନର ଏକ ଅବିସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି।”

ମୋଦିଙ୍କ ୫ ସଂକଳ୍ପ

  • ସ୍ୱଚ୍ଛତାକୁ ପ୍ରାଥମିକତା: ଯାତ୍ରା ମାର୍ଗକୁ ସ୍ୱଚ୍ଛ ରଖିବା ଏବଂ ପରିବେଶ ସୁରକ୍ଷାରେ ସହଯୋଗ କରିବା।
  • ସୁରକ୍ଷା ନିୟମ ପାଳନ: ପ୍ରଶାସନର ସମସ୍ତ ନିର୍ଦ୍ଦେଶ, ଯାତାୟାତ ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ବର୍ଷା, ପିଛଳ ରାସ୍ତା ଓ ଥଣ୍ଡା ପ୍ରତି ସତର୍କ ରହିବା।
  • ‘ଭୋକାଲ୍ ଫର୍ ଲୋକାଲ୍’କୁ ପ୍ରୋତ୍ସାହନ: ଯାତ୍ରା ସମୟରେ ଖର୍ଚ୍ଚର ଅତିକମରେ ୧୦ ପ୍ରତିଶତ ସ୍ଥାନୀୟ ଉତ୍ପାଦ କ୍ରୟ କରି ଜମ୍ମୁ-କଶ୍ମୀରର ସ୍ଥାନୀୟ ଅର୍ଥନୀତିକୁ ସହଯୋଗ କରିବା।
  • ‘ଏକ ପେଡ୍ ମା କେ ନାମ’ ଅଭିଯାନ: ଯାତ୍ରା ଶେଷରେ ଅତିକମରେ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷାରେ ଅଂଶଗ୍ରହଣ କରିବା।
  • ‘ରାଷ୍ଟ୍ର ପ୍ରଥମ’ର ସଂକଳ୍ପ: ସାରା ବର୍ଷ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରି ବିକଶିତ ଭାରତ ଗଠନରେ ସକ୍ରିୟ ଭୂମିକା ନେବା।

ଚଳିତ ବର୍ଷ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଯାତ୍ରାମାର୍ଗରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ଷା ଓ ପାହାଡ଼ିଆ ପରିସ୍ଥିତି ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ମଧ୍ୟରେ ବାବା ବରଫାନୀଙ୍କ ଦର୍ଶନକୁ ନେଇ ଉତ୍ସାହ ଓ ଭକ୍ତିଭାବ ଚରମରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)