ଅକ୍ଷର ବ୍ୟୁରୋ: ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି । ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରାଯାଇଛି । ତେଣୁ ଶାହା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ହେଲେ ଏନେଇ ଶାହାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଚୂଡାନ୍ତ ସୂଚନା ଦିଆଯାଇ ନାହିଁ । ପୂର୍ବରୁ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶାହା ଆସିବାକୁ ଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଶେଷ ମୁହୂର୍ତ୍ତରେ ସେସବୁ ବାତିଲ ହୋଇଛି । ଶେଷଥର ଲାଗି ସେ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜିପି ସମ୍ମିଳନୀରେ ଯୋଗଦେଇଥିଲେ ।
ଏଥର ଶାହା ଓଡ଼ିଶା ଗସ୍ତରେ ଆସି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଯେ ପର୍ଯ୍ୟନ୍ତ ଚୂଡାନ୍ତ ସୂଚନା ନ ଆସିଛି ସେତେବେଳ ଯାଏ କିଛି କୁହାଯାଇପାରିବ ନାହିଁ ବୋଲି ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ଭାଜପା ଶାସନକୁ ଆସିବାର ୧୭ ମାସ ପୂରଣ ହୋଇସାରିଥିବା ବେଳେ ଏଯାଏଁ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଅନେକ ଦିନରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଇପାରେ ବୋଲି ଚର୍ଚ୍ଚା ହୋଇଆସୁଛି । ସେହିପରି ବୋର୍ଡ ଏବଂ ନିଗମରେ ଥଇଥାନ ପ୍ରକ୍ରିୟା ଏଯାଏ ହୋଇପାରି ନ ଥିବାବେଳେ ଏନେଇ ଦଳୀୟ ନେତାମାନଙ୍କ ଭିତରେ ସାମାନ୍ୟ ଅସନ୍ତୋଷ ରହୁଛି । ତେଣୁ ଶାହା ଆସିଲେ ଏହିସବୁ ଚର୍ଚ୍ଚା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି ।












Leave a Reply