ଅକ୍ଷର ବ୍ୟୁରୋ: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ମରାମତି ପାଇଁ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ୟୁପି ରୋଡ଼ୱେଜ୍ ବସ୍କୁ ପଛପଟୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଅଫରାତଫରୀ ଖେଳିଯାଇଥିଲା।
ସୂଚନା ଅନୁଯାୟୀ, ଦିଲ୍ଲୀ ଅଭିମୁଖେ ଯାଉଥିବା ୟୁପି ରୋଡ଼ୱେଜ୍ ବସ୍ରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ଡ୍ରାଇଭର ବସ୍ଟିକୁ ରାସ୍ତାକଡ଼ରେ ଠିଆ କରି ମରାମତି କାମ ଆରମ୍ଭ କରିଥିଲେ। ସେତେବେଳେ ବସ୍ରେ ଅନେକ ଯାତ୍ରୀ ଉପସ୍ଥିତ ଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ବସ୍କୁ ପ୍ରଚଣ୍ଡ ବେଗରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ଟି ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଇଥିଲା। ଫଳରେ ବସ୍ରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ ଏବଂ ଅନେକେ ବସ୍ ଭିତରେ ଫସି ରହିଯାଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକ ଓ ପୁଲିସ ମିଳି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ପରେ ଆଉ ଜଣଙ୍କର ମୃତ୍ୟୁ ହେବାରୁ ମୃତକ ସଂଖ୍ୟା ୫ରେ ପହଞ୍ଚିଛି। ଆହତ ୧୨ ଜଣ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟଣାର ପ୍ରକୃତ କାରଣ, ଟ୍ରକ୍ର ବେଗ ଏବଂ ଚାଳକଙ୍କ ଅବହେଳା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପୁଣିଥରେ ରାଜପଥରେ ସଡ଼କ ସୁରକ୍ଷା ଓ ଦ୍ରୁତଗତିରେ ଯାନ ଚଳାଚଳକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।












Leave a Reply