ପୁରୀ: ଆଜି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ମନୋମୁଗ୍ଧକର କୃଷ୍ଣ-ବଳରାମ ବେଶ। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ଏହି ବେଶରେ ଶ୍ରୀଜଗନ୍ନାଥ କୃଷ୍ଣ ଓ ଶ୍ରୀବଳଭଦ୍ର ବଳରାମ ରୂପରେ ସୁସଜ୍ଜିତ ହେବେ। ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ବିଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେଶନ କରିବେ। ଅନ୍ୟପଟେ କୃଷ୍ଣ ଓ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି। କୃଷ୍ଣ ବେଶରେ ଶ୍ରୀଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଶୋଭାପାଏ। ସେହିପରି ଶ୍ରୀବଳଭଦ୍ରଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହସ୍ତରେ ପଦ୍ମ ଫୁଲ ଶୋଭା ପାଏ।
କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି। ଏହି ଦୁଇ ପାଗ କିରୀଟଯୁକ୍ତ ହୋଇଥାଏ। ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ସିଂହାସନକୁ ଜରି ଜମ୍ବୁରାରେ ଆଚ୍ଛାଦିତ କରାଯାଇଥାଏ। ସେହି ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ ପଦ୍ମାସନରେ ଉପବେଶନ କରିଥାନ୍ତି। ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ। ଏହି ବେଶରେ ଶ୍ରୀପୟର, ପାଉଁଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି, ମଲ୍ଲୀକଢ଼, ଚନ୍ଦ୍ର, ଚିତା, ନାକଚଣା, ହାତଫେର, ଖଡୁ ଆଦି ଅଳଙ୍କାରରେ ମହାପ୍ରଭୁଙ୍କ ସାରା ଶରୀର ଶୋଭା ପାଇଥାଏ। ଦେବୀ ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ ସୁନ୍ଦର କିରୀଟ ଶୋଭା ପାଏ।
ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ। ସେହିପରି ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ମଧ୍ୟ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି। ଏହି ସମସ୍ତ ସାଜସଜ୍ଜା ଓ ପାର୍ଶ୍ୱ ଚରିତ୍ରଙ୍କ ଉପସ୍ଥାପନା ମହାପ୍ରଭୁଙ୍କ କୃଷ୍ଣ-ବଳରାମ ରୂପକୁ ଆହୁରି ମନୋମୁଗ୍ଧକର କରିଥାଏ। ଦ୍ୱିପହର ଧୂପ ପରେ ଏହି ସ୍ୱତନ୍ତ୍ର ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ ମଧ୍ୟ ଲାଗିଥାଏ।ଶ୍ରୀମନ୍ଦିରରେ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଭକ୍ତମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଗ୍ରହ ରହିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି କୃଷ୍ଣ-ବଳରାମ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।














Leave a Reply