ଅକ୍ଷର ବ୍ୟୁରୋ: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ପାଇଁ ଆଜି ଏକ ବୈଠକ ଡକାଯାଇଥିଲା । ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୋଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।
ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଦଇତାପତି ନିଯୋଗଠାରୁ ଆରମ୍ଭ କରି ସମସ୍ତ ସେବାୟତ, ନିଯୋଗ ଏବଂ ରାଜ୍ୟବାସୀଙ୍କ ଏକାନ୍ତ ସହଯୋଗର ଆବଶ୍ୟକତା ରହିଛି । ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି । ଏଥିରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡ଼ପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ଼ିଂ ବ୍ୟବସ୍ଥା, ସେବାୟତ, ନିଯୋଗ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଥିଲେ । ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ର, ସାଧାରଣ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ଆଇନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଦଇତାପତି ନିଯୋଗର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।














Leave a Reply