ପଶ୍ଚିମା ଶମ୍ଭୁ ମହାଦେବ ମନ୍ଦିରରେ ବଡ଼ ଧରଣର ଚୋରି! ୧୫ କିଲୋର ରୁପା ସିଂହାସନ ସହ ହୁଣ୍ଡୀ ଓ ଚାନ୍ଦି ଅଳଙ୍କାର ଲୁଟ୍

ଅକ୍ଷର ବ୍ୟୁରୋ: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଡେଲାଙ୍ଗ-ହରିରାଜପୁର ସ୍ଥିତ ପଶ୍ଚିମା ଶମ୍ଭୁ ମହାଦେବ ମନ୍ଦିରରେ ଘଟିଛି ବଡ଼ ଧରଣର ଚୋରି। ବିଳମ୍ବିତ ରାତିରେ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ଠାକୁରଙ୍କ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଲୁଟେରାମାନେ ମନ୍ଦିରରୁ ପ୍ରାୟ ୧୫ କିଲୋଗ୍ରାମ ଓଜନର ରୁପା ସିଂହାସନ, ଦାନ ହୁଣ୍ଡୀ ଏବଂ ଠାକୁରଙ୍କ ବ୍ୟବହୃତ କିଛି ଚାନ୍ଦି ଅଳଙ୍କାର ଚୋରି କରି ନେଇଛନ୍ତି। ଏହି ଚୋରିରେ ବହୁ ମୂଲ୍ୟର ସାମଗ୍ରୀ ଲୁଟ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସକାଳେ ମନ୍ଦିରର ପୂଜାନୀତି ପାଇଁ ସେବାୟତମାନେ ପହଞ୍ଚିବା ପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା। ମନ୍ଦିରରେ ଲୁଟ୍ ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ଏବଂ ବହୁ ସଂଖ୍ୟାରେ ଭକ୍ତ ଓ ସ୍ଥାନୀୟ ଲୋକ ମନ୍ଦିର ପରିସରରେ ଏକାଠି ହୋଇଥିଲେ।

ଖବର ପାଇ ଡେଲାଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି କିପରି ଘଟିଲା, କେତେଜଣ ଦୁର୍ବୃତ୍ତ ଏଥିରେ ସମ୍ପୃକ୍ତ ଥିଲେ ଏବଂ କେଉଁ ପଥ ଦେଇ ଫେରାର ହେଲେ, ସେନେଇ ପୁଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି। ପ୍ରସିଦ୍ଧ ଧାର୍ମିକ ସ୍ଥଳରେ ଏଭଳି ବଡ଼ ଧରଣର ଚୋରି ଘଟଣା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଉଦ୍ବେଗ ସୃଷ୍ଟି କରିଛି। ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଦୋଷୀଙ୍କୁ ଶୀଘ୍ର ଗିରଫ କରିବା ସହ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)