ଚଳିତବର୍ଷ ଓଡ଼ିଆରେ ମିଳିବ ମାଟ୍ରିକ୍ ପରୀକ୍ଷା ସାର୍ଟିଫିକେଟ୍; ଏନେଇ ସଠିକ୍ ତଥ୍ୟ ଦାଖଲ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଜାରି ।

ଅକ୍ଷର ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦର ଏକ ନୂଆ ପଦକ୍ଷେପ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମଥର ଦୁଇଟି ଭାଷାରେ ଅର୍ଥାତ୍ ଇଂରାଜୀ ଏବଂ ଓଡ଼ିଆରେ ଅରିଜିନାଲ୍ ପାସ୍ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ । ଏହାକୁ ନେଇ ବୋର୍ଡ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଧାନ ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ନାମ, ବାପା ଓ ମା’ଙ୍କ ନାମକୁ ଓଡ଼ିଆ ଭାଷାରେ ସଠିକ୍ ଭାବେ ସଂଗ୍ରହ କରି ଅନଲାଇନ୍‌ ମାଧ୍ୟମରେ ଦାଖଲ କରିବାକୁ କୁହାଯାଇଛି । ବୋର୍ଡ ୱେବସାଇଟ୍‌ରେ ଏଥିପାଇଁ ଶୀଘ୍ର ଲିଙ୍କ ଉପଲବ୍ଧ କରାଯିବ ।

ତେବେ ଅନଲାଇନ୍‌ ତଥ୍ୟ ଦାଖଲ ପୂର୍ବରୁ ଅଭିଭାବକଙ୍କ ଠାରୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ତଥ୍ୟ ସଂଗ୍ରହ କରି ତାହାର ଯାଞ୍ଚ କରିବାକୁ ସ୍କୁଲ୍‌କୁ କୁହାଯାଇଛି । ନାମଗୁଡ଼ିକର ବନାନ ଓ ଶବ୍ଦକୁ ନିର୍ଭୁଲ ଭାବରେ ଲେଖିବାକୁ ଗୁରୁତ୍ୱ ଦିଆଯାଇଛି । ସମସ୍ତ ପ୍ରକ୍ରିୟାକୁ ୧୫ ଦିନ ମଧ୍ୟରେ, ଅର୍ଥାତ୍ ୨୦ ମଇ ୨୦୨୬ ମଧ୍ୟରେ ସମାପ୍ତ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଯଦି ଏଥିରେ ବିଳମ୍ବ ହୁଏ, ତେବେ ସାର୍ଟିଫିକେଟ୍‌ରେ ତ୍ରୁଟି ଘଟିପାରେ ବୋଲି ସତର୍କ କରାଯାଇଛି । ଏଥି ସହିତ, ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତ୍ରୁଟିଶୂନ୍ୟ ଭାବେ ସମାପ୍ତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)