ଅକ୍ଷର ବ୍ୟୁରୋ: ବିକାଶ ସମାବେଶରେ କେନ୍ଦୁଝରର ସାମଗ୍ରିକ ବିକାଶ ପାଇଁ ୧୮୭ଟି ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁଝରର ବିକାଶ ହେବ । ଏଥିସହିତ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସେବା କେନ୍ଦୁଝର ସହରରେ ଆରମ୍ଭ ହୋଇଛି । ତା’ ସହ ୨୫୦ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଛି, ଯାହା ଆଜିଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ହେବ । କେନ୍ଦୁଝର ଜିଲ୍ଲାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବିରାଟ ପଦକ୍ଷେପ ।
ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ଏବଂ CRUTର ନିରନ୍ତର ପ୍ରୟାସ ଫଳରେ କେନ୍ଦୁଝର ଆଜି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଆପଣେଇବାରେ ଆଗୁଆ ହୋଇଛି । ପ୍ରାଥମିକ ଭାବେ ୨୫ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସହରର ୬ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଚଳାଚଳ କରିବ । ଏହି ବସ୍ ଗୁଡ଼ିକ ଏପରି ଭାବେ ନିର୍ମିତ, ଯାହା ସହରର ଗଳି କନ୍ଦିରୁ ଆରମ୍ଭ କରି ପ୍ରମୁଖ ରାଜପଥ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଗମ ସଂଯୋଗ ଯୋଗାଇଦେବ । ଆଗାମୀ ୧୦ ବର୍ଷ ପାଇଁ ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ସେବା ପରିଚାଳିତ ହେବ ।
ଏଥିସହ DMF ପାଣ୍ଠି ସହାୟତାରେ ୧୭.୧୨ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ବସ୍ ଡିପୋ ନିର୍ମାଣ କରାଯାଇଛି । ଯେଉଁଠାରେ ଫାଷ୍ଟ ଚାର୍ଜିଂ ଓ ରକ୍ଷଣାବେକ୍ଷଣର ସମସ୍ତ ବ୍ୟବସ୍ଥା ରହିଛି । ଏହି ବସ୍ ଗୁଡ଼ିକ ସମ୍ପୂର୍ଣ୍ଣ ବାତାନୁକୂଳିତ ହେବା ସହ CCTV, ଲାଇଭ୍ ଟ୍ରାକିଂ ଏବଂ ସଙ୍କଟ ସମୟ ପାଇଁ ‘ପାନିକ୍ ବଟନ୍’ ସୁବିଧା ରହିଛି । ବିଶେଷକରି ମାତୃଶକ୍ତି, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁମାନଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପ ୧୫୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ସବୁଠାରୁ ଗୌରବର ବିଷୟ ହେଉଛି, ଏହି ସେବାରେ ଆମର ନାରୀ ଶକ୍ତି ସାରଥୀ (Driver) ଏବଂ ଗାଇଡ୍ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।












Leave a Reply