ରାଷ୍ଟ୍ରୀୟ ଡିଜିଟାଲ୍ ପରିବର୍ତ୍ତନ ପକ୍ଷରୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରକୁ ସ୍ୱର୍ଣ୍ଣ ପୁରସ୍କାର ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଠାରେ ଡିଜିଟାଲ୍ ଟ୍ରାନ୍ସଫର୍ମ କନକ୍ଲେଭ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ‘କ୍ରାଇସିସ୍ ରେସପନ୍ସ ଡିଜିଟାଲ୍ ଇନୋଭେସନ୍ ଆୱାର୍ଡ’ ବର୍ଗରେ ‘ଓଡିଶା ବିପର୍ଯ୍ୟୟ ସମ୍ବଳ ନେଟୱାର୍କ-ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ପ୍ରକଳ୍ପ ପାଇଁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶାକୁ ୧୯ତମ ରାଷ୍ଟ୍ରୀୟ ଡିଜିଟାଲ୍ ପରିବର୍ତ୍ତନ ପକ୍ଷରୁ ସ୍ୱର୍ଣ୍ଣ ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପ-ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ ଡ. ଅଶୋକ କୁମାର ହୋତା, ଉପ ମହାନିର୍ଦ୍ଦେଶିକା ଶ୍ରୀମତି ମମତା ଖମାରୀ, ବରିଷ୍ଠ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ଜୟନ୍ତ କୁମାର ମିଶ୍ର, ବରିଷ୍ଠ ବୈଜ୍ଞାନିକ ଶ୍ରୀ ରବୀନ୍ଦ୍ର କୁମାର ମହାରଣା ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା ବିପର୍ଯ୍ୟୟ ସମ୍ବଳ ନେଟୱାର୍କ (ଓ.ଡି.ଆର.ଏନ) ହେଉଛି ଏକ କେନ୍ଦ୍ରୀକୃତ ଭୌଗୋଳିକ ସୂଚନା ପ୍ରଣାଳୀ ଆଧାରିତ ଡିଜିଟାଲ୍ ପ୍ଲାଟଫର୍ମ । ଯାହା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ.ଡି.ଏମ.ଏ.) ପାଇଁ ବିକଶିତ ହୋଇଅଛି । ଏହା ବାତ୍ୟା, ବନ୍ୟା, ମରୁଡ଼ି ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟକାଳୀନ ପରିସ୍ଥିତି ସମୟରେ ଆବଶ୍ୟକ ମାନବ ସମ୍ବଳ, ଭିତ୍ତିଭୂମି ଏବଂ ଉପକରଣ ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ବଳଗୁଡ଼ିକୁ ଟ୍ରାକିଂ ଏବଂ ପରିଚାଳନା କରି ଓଡ଼ିଶାରେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପୁନରୁଦ୍ଧାରକୁ ବୃଦ୍ଧି କରିବାରେ ସହାୟକ ହେବ । ରାଜ୍ୟ ପ୍ରଶାସନ ଏବଂ ଓଡ଼ିଶାବାସୀଙ୍କ ପାଇଁ ଡିଜିଟାଲ ପରିବର୍ତ୍ତନ ଆଣିବାରେ ଆଉ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରାଯାଇଥିବାରୁ ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial