ଆଜି ‘ନିଟ୍-ୟୁଜି’ ପ୍ରବେଶିକା ପରୀକ୍ଷା; ସାରା ଦେଶରେ ମୋଟ ୫୪୩୨ଟି କେନ୍ଦ୍ରରେ ହେବ ପରୀକ୍ଷା ।

ଅକ୍ଷର ବ୍ୟୁରୋ: ଆଜି ଡାକ୍ତରୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ ଅନୁଷ୍ଠିତ ହେବାକୁ ଯାଉଛି । ଅପରାହ୍ନ ସାଢ଼େ ୨ଟାରୁ ୫ଟା ଯାଏ ହେବ ପରୀକ୍ଷା । ଏଥିପାଇଁ ସାରା ଦେଶରେ ମୋଟ ୫୪୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଠାରେ ୨୨ ଲକ୍ଷ ୭୯ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦେଶର ୫୫୧ଟି ସହର, ଦେଶ ବାହାରେ ୧୪ଟି ସହରରେ ପରୀକ୍ଷା ହେବ । ସେହିପରି ଓଡ଼ିଶାର ୨୭ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି । ଓଡ଼ିଶାରୁ ୫୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଛନ୍ତି । ପେନ ଓ ପେପର ମୋଡରେ ଏହି ପରୀକ୍ଷା ହେବ । ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ହେଉଛି । 

ଏନ୍‌ଟିଏ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ପାଇଁ ୬୭୪ଜଣ ସିଟି ସଂଯୋଜକ ନିୟୋଜିତ ହୋଇଛନ୍ତି । ୬ ହଜାରରୁ ଅଧିକ ପର୍ଯ୍ୟବେକ୍ଷକ ପରୀକ୍ଷା କେନ୍ଦ୍ର ପାଇଁ ନିଯୁକ୍ତି ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୧ଟା ମଧ୍ୟରେ ପହଞ୍ଚି ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି । ପରୀକ୍ଷାକେନ୍ଦ୍ରର ମୁଖ୍ୟ ଫାଟକ ସାଢ଼େ ୧ଟାରେ ବନ୍ଦ ହେବ । ଏହା ପରେ କୌଣସି ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପରୀକ୍ଷାର୍ଥୀମାନେ ସ୍ୱଚ୍ଛତା ପାଣି ବୋତଲ ଆଣି ପାରିବେ । ପାଣିପାଗକୁ ଲକ୍ଷ୍ୟ କରି ଛାତ୍ରଛାତ୍ରୀମାନେ ଆଗୁଆ ଆସିବାକୁ ବ୍ୟବସ୍ଥା କରିବେ । ପରୀକ୍ଷାର୍ଥୀମାନେ ସାଙ୍ଗରେ ଦୁଇଟି ପାସ୍ ଫଟୋ ସହ ନିଜର ପରିଚୟ ପତ୍ର ଆଣିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)