ଅକ୍ଷର ବ୍ୟୁରୋ: ରାଜ୍ୟର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ ପରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ନୂଆ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଗସ୍ତ। ପରିବାର ସଦସ୍ୟଙ୍କ ସହ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ଆଇନଶୃଙ୍ଖଳା ସୁଦୃଢ଼ ରହିବା ପାଇଁ ପ୍ରାର୍ଥନା କରିଛନ୍ତି। ସିଂହଦ୍ୱାର ନିକଟରେ ପୁଲିସ ପ୍ରଶାସନ ପକ୍ଷରୁ ଅନ୍ତରୀଣ ଡିଜିପିଙ୍କୁ ସ୍ୱାଗତ କରାଯାଇଥିଲା। ପୁରୀ ଏସ୍ପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ଶ୍ରୀମନ୍ଦିରରେ ପ୍ରବେଶ ପରେ ବିନୟତୋଷ ମିଶ୍ର ପ୍ରଥମେ ଗରୁଡ଼ସ୍ତମ୍ଭ ନିକଟରେ ପ୍ରାର୍ଥନା କରିଥିଲେ। ପରେ ଗର୍ଭଗୃହ ନିକଟକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିଥିଲେ। ପ୍ରାୟ ୨୦ ମିନିଟ୍ ଧରି ମନ୍ଦିର ପରିସରରେ ରହି ସେ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ। ଦର୍ଶନ ପରେ ଅନ୍ତରୀଣ ଡିଜିପି କହିଥିଲେ ଯେ, ମହାପ୍ରଭୁଙ୍କ କୃପାରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଜନସାଧାରଣଙ୍କୁ ଉତ୍ତମ ପୁଲିସ ସେବା ପ୍ରଦାନ କରିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି। ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା, ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ପୁଲିସ ପ୍ରଶାସନ ଗୁରୁତ୍ୱ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଗୁରୁଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିବାରେ ସଫଳ ହେବେ ବୋଲି ମଧ୍ୟ ଆଶାବ୍ୟକ୍ତ କରିଛନ୍ତି।














Leave a Reply