ଅସ୍ତ୍ରବିରତି ଚୁକ୍ତିର ଗୁରୁତର ଉଲ୍ଲଂଘନ କଲା ପାକିସ୍ତାନ: ରାତି ତମାମ ଗୁଳି ଚଳାଇଥିଲା ପାକିସ୍ତାନୀ ସେନା ।

ପହଲଗାମ ଆକ୍ରମଣକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଗତ ରାତି ତମାମ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍ଓସି)ର ବିଭିନ୍ନ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳି ଚଳାଇଥିଲା। ରାତି ତମାମ ଗୁଳିବର୍ଷା ଚାଲିଥିବା ବେଳେ ଭାରତ ଏହାର କଡ଼ା ଜବାବ ଦେଇଛି। ଏହି ଘଟଣାକୁ ଅସ୍ତ୍ରବିରତି ଚୁକ୍ତିର ଗୁରୁତର ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି ଏବଂ ଏହାକୁ ଏକ ବଡ଼ ଉତ୍ତେଜନା ଭାବେ ଭାରତ ଗ୍ରହଣ କରି ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପାକିସ୍ତାନ ସେନା ଗତରାତିରେ ପୁଞ୍ଚ ସମେତ ନିୟନ୍ତ୍ରଣ ରେଖାର କେତେକ ସ୍ଥାନରେ ଗୁଳିମାଡ଼ ଆରମ୍ଭ କରିବା ପରେ ଭାରତ ପକ୍ଷରୁ ଭାରୀ ଯୁଦ୍ଧାସ୍ତ୍ରରେ ଏହାର ଜବାବ ଦିଆଯାଇଥିଲା।

ଭାରତୀୟ ସେନାର ପ୍ରଭାବଶାଳୀ ଜବାବ ପାକିସ୍ତାନକୁ ନିରବ ରହିବାକୁ ବାଧ୍ୟ କରିଥିଲା। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି ଏବଂ ଆବଶ୍ୟକସ୍ଥଳେ ତୁରନ୍ତ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାପାଇଁ କୁହାଯାଇଛି। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ସୁଚେତଗଡ଼ର ପୋଷ୍ଟ୍‌ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଗମନାଗମନ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯିବା ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି।

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବାର ୩ ଦିନ ପରେ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଚରମରେ ପହଞ୍ଚାଇଛି। ପହଲଗାମ ଆକ୍ରମଣ ପରେ ପାକିସ୍ତାନର କୂଟନୈତିକ ଓ ରଣନୈତିକ ସ୍ୱାର୍ଥକୁ ଟାର୍ଗେଟ କରି ଭାରତ ଅନେକ ପ୍ରତିଶୋଧମୂଳକ ପଦକ୍ଷେପ ନେଇଛି । ଏହା ସହିତ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯିବା ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନର ପ୍ରତ୍ୟେକ ଗତିବିଧି ଉପରେ ଅହରହ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)