ଲଗାଣ ବର୍ଷାରେ ହଇରାଣ କଟକ ବଡ଼ ମେଡିକାଲ ରୋଗୀ!

କଟକ: ଲଗାଣ ବର୍ଷାରେ ବେହାଲ କଟକ ବଡ଼ ମେଡିକାଲ । ବର୍ଷା ଯୋଗୁଁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା ବଢ଼ିଛି । ହସ୍ପିଟାଲ ପରିସରରେ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଯିବା ମଧ୍ୟ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି ।

ଲଗାଣ ବର୍ଷା ମଧ୍ୟରେ କିଏ ହାତରେ ଛତା ଧରି ରୋଗୀଙ୍କୁ ନେଇ ହସ୍ପିଟାଲର ବିଭିନ୍ନ ବିଭାଗକୁ ଧାଉଛନ୍ତି, ତ ଆଉ କିଏ ବର୍ଷାରେ ଭିଜିଭିଜି ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ବିଶେଷକରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଧିକ ହଇରାଣ ହେଉଛନ୍ତି । ଦୂରଦୂରାନ୍ତରୁ ଆସୁଥିବା ଅନେକ ରୋଗୀ ଓ ସମ୍ପର୍କୀୟ ଛତା ଆଣିନଥିବାରୁ ବର୍ଷାରେ ଭିଜି ହସ୍ପିଟାଲ ପରିସରରେ ଯାତାୟାତ କରୁଛନ୍ତି । ଅସୁସ୍ଥ ରୋଗୀଙ୍କୁ ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ବର୍ଷା ସାଜୁଛି ବଡ଼ ବାଧକ । ରୋଗୀଙ୍କ ସମ୍ପର୍କୀୟମାନେ ନିଜେ ବର୍ଷାରେ ଭିଜିବା ସହ ରୋଗୀଙ୍କୁ ମଧ୍ୟ ଭିଜାଇ ନେବାକୁ ବାଧ୍ୟ ହେଉଛନ୍ତି ।

ବିଶେଷକରି ଗୁରୁତର ଓ ଅସୁସ୍ଥ ରୋଗୀଙ୍କ ପାଇଁ ବର୍ଷା ମଧ୍ୟରେ ଏଭଳି ଯାତାୟାତ ଅଧିକ ସମସ୍ୟା ସୃଷ୍ଟି କରୁଛି । ଚିକିତ୍ସା ପାଇଁ ଦୂର ଜିଲ୍ଲାରୁ ଆସିଥିବା ଲୋକେ ବର୍ଷାରୁ ରକ୍ଷା ପାଇଁ ହସ୍ପିଟାଲ ପରିସରରେ ଅଧିକ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି । ବର୍ଷାଦିନରେ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ ହସ୍ପିଟାଲ ପରିସରରେ ଅଧିକ ଆଶ୍ରୟସ୍ଥଳ, ଛାତ ଏବଂ ସୁବିଧାଜନକ ଯାତାୟାତ ବ୍ୟବସ୍ଥା କରାଯିବାକୁ ଦାବି ଜୋର ଧରିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ବହୁ ସଂଖ୍ୟକ ରୋଗୀ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସୁଥିବାରୁ ବର୍ଷାଦିନରେ ସେମାନଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial