ଅକ୍ଷର ବ୍ୟୁରୋ: ସାଧାରଣ ଜନତାଙ୍କ ପକେଟ୍ ଉପରେ ଶକ୍ତ ଧକ୍କା । ପୁଣି ବଢ଼ିଲା ତେଲ ଦର । ସକାଳୁ ସକାଳୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପୁଣି ଥରେ ବଡ଼ ଧରଣର ବୃଦ୍ଧି ଘଟିଛି । ଦେଶରେ ପେଟ୍ରୋଲ ଲିଟର ପ୍ରତି ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୬.୩୩ଟଙ୍କା ଓ ଡିଜେଲ ଦାମ୍ ୯୭.୯୨ ଟଙ୍କା ହୋଇଛି । ପୂର୍ବରୁ ପେଟ୍ରୋଲ ୧୦୫.୪୪ ଟଙ୍କା ଡିଜେଲ ୯୬.୯୫ ଟଙ୍କା ଥିଲା । ଅନ୍ୟପଟେ ସ୍ପିଡ୍ ପେଟ୍ରୋଲ ୧୧୫.୪୭ ଟଙ୍କା ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ମେ’ ମାସରେ ମାତ୍ର କେଇଟା ଦିନ ଭିତରେ ଏହା ହେଉଛି ତୃତୀୟ ବାର, ଯେତେବେଳେ ତେଲ ଦର ବଢ଼ିଛି ।
ଏହା ପୂର୍ବରୁ ଚଳିତ ସପ୍ତାହରେ ୯୦ ପଇସା ଏବଂ କିଛି ଦିନ ତଳେ ୩ ଟଙ୍କା ପ୍ରତି ଲିଟର ପେଟ୍ରୋଲ-ଡିଜେଲ୍ ରେଟ୍ ବଢ଼ିଥିଲା । ଲଗାତାର ବଢୁଥିବା ଏହି ଦର ଏବେ ଗରିବ ଓ ମଧ୍ୟବିତ୍ତ ପରିବାରର ଚିନ୍ତାକୁ ଆହୁରି ବଢ଼ାଇଦେଇଛି । ଏହାର ସବୁଠାରୁ ବଡ଼ କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବା କ୍ରୁଡ୍ ଅଏଲ୍ ମୂଲ୍ୟରେ ଅହେତୁକ ବୃଦ୍ଧି । ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆମେରିକା-ଇରାନ ମଧ୍ୟରେ ଲାଗି ରହିଥିବା ଅନିଶ୍ଚିତତା ଯୋଗୁଁ ଗ୍ଲୋବାଲ ଅଏଲ ମାର୍କେଟରେ ଏହିଭଳି ଅସ୍ଥିରତା ଦେଖାଦେଇଛି । ତେଣୁ ବିଶ୍ୱ ବଜାରରେ ତେଲ ମହଙ୍ଗା ହେଲେ ଆମ ଦେଶରେ ବି ଏହାର ସିଧାସଳଖ ପ୍ରଭାବ ପଡ଼ିବ ।













Leave a Reply