ଫଟୋ ମର୍ଫିଂ ପଡ଼ିଲା ମହଙ୍ଗା: ପିଏମ୍-ସିଏମ୍‌ଙ୍କ ଆପତ୍ତିଜନକ ପୋଷ୍ଟ ଭାଇରାଲ ପରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଗିରଫ

ଅକ୍ଷର ବ୍ୟୁରୋ: ସୋସିଆଲ ମିଡିଆରେ ଫଟୋ ମର୍ଫିଂ ଓ AI ପ୍ରଯୁକ୍ତି ବ୍ୟବହାର କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ଓ ଅଶ୍ଳୀଳ କଣ୍ଟେଣ୍ଟ ପ୍ରଚାର କରିବା ଅଭିଯୋଗରେ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ସାଇବର ପୁଲିସ ଗିରଫ କରିଛି। ବିଜେପି ମିଡିଆ ସେଲ ପକ୍ଷରୁ ଅଭିଯୋଗ ଦାଖଲ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ମିଷ୍ଟର ବିଶ୍ୱ ନାମରେ ଏକ ସୋସିଆଲ ମିଡିଆ ଆଇଡି ପରିଚାଳନା କରୁଥିଲେ। ସେହି ଆକାଉଣ୍ଟ ମାଧ୍ୟମରେ AI ଓ ଡିଜିଟାଲ ମର୍ଫିଂ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ଭିଡିଓକୁ ବିକୃତ କରି ଭାଇରାଲ କରିବା ସହ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରୁଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ବିଜେପି ମିଡିଆ ସେଲ ସାଇବର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ବିଶ୍ୱଜିତ ସାହୁଙ୍କୁ ଗିରଫ କରାଯାଇଛି। ସେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ପୁଲିସର ପ୍ରାଥମିକ ତଦନ୍ତରେ ସୋସିଆଲ ମିଡିଆରେ AI ଓ ଡିଜିଟାଲ ପ୍ରଯୁକ୍ତି ସହାୟତାରେ ଆପତ୍ତିଜନକ ଫଟୋ ଓ ଭିଡିଓ ପ୍ରସ୍ତୁତ କରି ପ୍ରଚାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ଗୁରୁତର ଭାବେ ନେଇ ସାଇବର ଥାନା ପକ୍ଷରୁ ସମ୍ପୃକ୍ତ ସମସ୍ତ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ପାଇଁ ଇନ୍‌ଷ୍ଟାଗ୍ରାମ କର୍ତ୍ତୃପକ୍ଷଙ୍କୁ ଆନୁଷ୍ଠାନିକ ଭାବେ ଚିଠି ଲେଖାଯିବ ବୋଲି ସୂଚନା ମିଳିଛି।

ଅଭିଯୁକ୍ତଙ୍କ ବିରୋଧରେ ସମ୍ପୃକ୍ତ ସାଇବର ଆଇନ ଓ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବାବେଳେ, ଏଭଳି ଆପତ୍ତିଜନକ ଡିଜିଟାଲ କଣ୍ଟେଣ୍ଟ ପ୍ରସ୍ତୁତ ଓ ପ୍ରଚାର କରୁଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial