ଆଜିଠୁ ପିତୃପକ୍ଷ ଆରମ୍ଭ, ଶ୍ରୀକ୍ଷେତ୍ରରେ ଲାଗିଲା ଭିଡ଼

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପିତୃପକ୍ଷ। ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ଏହି ପକ୍ଷ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତିଳ ତର୍ପଣ ଓ ପିଣ୍ଡଦାନ କରିବାର ପରମ୍ପରା ରହିଥିବାରୁ ଆଜିଠାରୁ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ପିତୃପକ୍ଷରେ ତିନି ପିଢ଼ିର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତିଳ ତର୍ପଣ କରାଯାଏ। ଗୋତ୍ର କିମ୍ବା ନାମ ଜଣା ନଥିଲେ ମଧ୍ୟ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ଦେବାର ବିଧି ରହିଥିବା ବିଶ୍ୱାସ କରାଯାଏ। ଏହି ସମୟରେ ଦେବତା ଓ ଋଷିମାନଙ୍କୁ ମଧ୍ୟ ତର୍ପଣ ଦେଇ ସନ୍ତୁଷ୍ଟ କରାଯାଏ। ପିତୃପକ୍ଷ ଅବସରରେ ଆଜି ସକାଳୁ ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶ୍ରୀମନ୍ଦିରର ଉତ୍ତରଦ୍ୱାର ପାର୍ଶ୍ୱରେ ବସିଥିବା ବ୍ରାହ୍ମଣମାନଙ୍କ ନିକଟରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରୁଛନ୍ତି। ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ମଧ୍ୟ ତର୍ପଣ ଓ ପିଣ୍ଡଦାନ ପାଇଁ ଭିଡ଼ ଜମିଛି।

ପରମ୍ପରା ଅନୁଯାୟୀ, ପିତୃପକ୍ଷର ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଏ। ଏହି ସମୟରେ ବଂଶଧରମାନେ କରୁଥିବା ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନରେ ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି। ବର୍ଷରେ କରାଯାଉଥିବା ଏକୋଦିଷ୍ଟ ଶ୍ରାଦ୍ଧଠାରୁ ପିତୃପକ୍ଷର ଶ୍ରାଦ୍ଧକୁ ସ୍ୱତନ୍ତ୍ର ବୋଲି ମନାଯାଏ। ଅପରପକ୍ଷ ବା ପିତୃପକ୍ଷ ସମୟରେ ବିଭିନ୍ନ ନିୟମ ଓ ନିଷ୍ଠା ପାଳନ କରାଯାଏ। ମହାଳୟା ଅମାବାସ୍ୟାରେ ପିତୃପକ୍ଷର ଅବସାନ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial