ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ମାଲେସିଆ ଗସ୍ତ ।

ଅକ୍ଷର ବ୍ୟୁରୋ: ଦୁଇଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପହଞ୍ଚିଛନ୍ତି ମୋଦୀ । ବିମାନବନ୍ଦରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଉଭୟ ନେତା ବିମାନବନ୍ଦରରୁ ଗୋଟିଏ ଗାଡ଼ିରେ ଯାତ୍ରା କରିଥିଲେ । ଏହି ଗସ୍ତ ଭାରତ-ମାଲେସିଆ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଗତି ଦେବା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ମାଲେସିଆକୁ ତୃତୀୟ ସରକାରୀ ଗସ୍ତ । ୨୦୨୪ ଅଗଷ୍ଟରେ ଭାରତ ଓ ମାଲେସିଆ ମଧ୍ୟରେ ସମ୍ପର୍କ ବ୍ୟାପକ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ । ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କୌଶଳଗତ, ଆର୍ଥିକ ଓ ଆଞ୍ଚଳିକ ସହଯୋଗ ଆହୁରି ସୁଦୃଢ଼ ହେବା ଆଶା କରାଯାଉଛି ।

ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ “ସେଲାମତ ଦାତାଙ୍ଗ୍‌ ମୋଦୀ ଜୀ” କାର୍ଯ୍ୟକ୍ରମରେ ଯୋଗଦେଇ ମାଲେସିଆରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଥିଲେ । ମାଇନ୍ସ କନଭେନ୍‍ସନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୮ ହଜାର ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତ-ମାଲେସିଆ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକାକୁ ଜୀବନ୍ତ ସେତୁ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା, ଆର୍ଥିକ ସହଯୋଗ, ସାମୁଦ୍ରିକ ସୁରକ୍ଷା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ଯାହା ଆଗାମୀ ଦିନରେ ଭାରତ-ମାଲେସିଆ ସହଯୋଗକୁ ନୂତନ ଦିଗ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)