ଚିତାଲାଗି ଅମାବାସ୍ୟା ପାଇଁ ୪ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।

ଆଜି ଚିତାଲାଗି ଅମାବାସ୍ୟା, ୪ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତା ଲାଗି ନୀତି କାରଣରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ । ଆଜି ମହାପ୍ରଭୁଙ୍କ ମସ୍ତକରେ ଲାଗି ହେବ ସୁବର୍ଣ୍ଣ ଚିତା । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ ହୋଇଥାଏ । ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି । ଏହା ଗୁପ୍ତ ନୀତି ହୋଇଥିବାରୁ ନୀତି ସମୟରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବ । ଏହାପରେ ଦଇତାପତି ସେବକମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିବେ ।

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କ ଠାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ ।ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ । ତାକୁ ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଏ । ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥାନ୍ତି । ଏହା ପରେ ଶ୍ରୀଜିଉଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନ ସିଂହାସନାଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି ।

ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ତିନିଟି ସ୍ୱର୍ଣ୍ଣ ଚିତାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପଟେ ପାଞ୍ଚଟି ବେଢରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି । ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି । ସେହିପରି ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ଚିତଉ ପିଠା ଲାଗି ହେବାର ପରମ୍ପରା ଥିବା ବେଳେ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)