ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଆହୁରି ସୁଗମ କରାଯିବ। ଆସନ୍ତା ୭ରୁ ୮ ଦିନ ମଧ୍ୟରେ ପାଇଲଟ୍ ରାମ୍ପ ବା ପ୍ରଥମ ରାମ୍ପର ନିର୍ମାଣ ଶେଷ ହେବ ବୋଲି ସୂଚନା ମିଳିଛି। IIT ଭୁବନେଶ୍ୱର ପକ୍ଷରୁ ପ୍ରସ୍ତାବିତ ରାମ୍ପ ମଡେଲ୍ର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ପ୍ରସ୍ତାବିତ ରାମ୍ପଟି ଫୋଲ୍ଡିଂ ରାମ୍ପ ହୋଇଥିବା ବେଳେ ଏହାକୁ ମାତ୍ର ୫ ମିନିଟ୍ ମଧ୍ୟରେ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ। ପ୍ରଥମ ପାଇଲଟ୍ ରାମ୍ପ ନିର୍ମାଣ ଶେଷ ହେବା ପରେ ଏହାକୁ ଶ୍ରୀମନ୍ଦିର ଛତିଶା ନିଯୋଗର ପ୍ରତିନିଧି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରତିନିଧିମାନଙ୍କୁ ଦେଖାଯିବ। ସେମାନଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ହେଲେ ରାମ୍ପ ମଡେଲ୍ରେ ସଂଶୋଧନ କରାଯିବ। ଅନ୍ୟଥା ଅନୁମତି ମିଳିଲେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଏହାସହ ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ। ଆସନ୍ତା ୩ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ରାମ୍ପ ମଡେଲ୍ ପ୍ରସ୍ତୁତ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ସେହିପରି ଶ୍ରୀମନ୍ଦିରରେ ସହରବାସୀଙ୍କ ସହଜ ଓ ସୁବିଧାଜନକ ଦର୍ଶନ ପାଇଁ ମଧ୍ୟ ଏକ ଟେକ୍ନୋଲୋଜି ମଡେଲ୍ ପ୍ରସ୍ତୁତ ହୋଇଛି। ଉତ୍ତରଦ୍ୱାର ଦେଇ ସହରବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଉଛି। ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ଏହି ଦର୍ଶନ ବ୍ୟବସ୍ଥାକୁ ଆହୁରି ସହଜ ଓ ସୁବିଧାଜନକ କରାଯିବ।














Leave a Reply