ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରାଧାଷ୍ଟମୀ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଶ୍ରୀରାଧାଙ୍କ ଜନ୍ମତିଥି ଭାବେ ରାଧାଷ୍ଟମୀ ରୂପେ ପାଳନ କରାଯାଏ। ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଜନ୍ମାଷ୍ଟମୀର ୧୫ ଦିନ ପରେ ଏହି ପବିତ୍ର ତିଥି ପଡ଼ିଥାଏ। ଏହି ଅବସରରେ ଶ୍ରୀମନ୍ଦିରର ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ।ରାଧାଷ୍ଟମୀ ଅବସରରେ ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ପ୍ରଥମେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବେ। ଏହାପରେ ସେ ନଗର ପରିକ୍ରମା କରିବା ସହ ପନ୍ତି ଭୋଗ ଗ୍ରହଣ କରିବେ। ପରେ ସୁଦର୍ଶନ ମହାପ୍ରଭୁ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଜମ୍ବେଶ୍ୱରଙ୍କ ମନ୍ଦିରରେ ଏହି ଅବସରରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ।
ଏହାପରେ ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନ ମହାପ୍ରଭୁଙ୍କ ସମ୍ମୁଖରେ ପାଠ କରିବେ। ଏହି ନୀତି ସମ୍ପନ୍ନ ହେବା ପରେ ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କଠାରୁ ଆୟବ୍ୟୟ ହିସାବ ଆଣି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପରେ ଶ୍ରୀରାଧାଙ୍କ ଜନ୍ମତିଥି ଭାବେ ପାଳିତ ହେଉଥିବା ଏହି ରାଧାଷ୍ଟମୀ ନୀତିକୁ ନେଇ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ଧାର୍ମିକ ପରମ୍ପରା ପାଳନ କରାଯାଉଛି।














Leave a Reply