ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାରେ ମହାରାଷ୍ଟ୍ରର ଆର୍ଥିକ ରାଜଧାନୀ ମୁମ୍ବାଇ ଏବେ ସଂପୂର୍ଣ୍ଣ ବେହାଲ। ଗତ ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଖୋଲା ମ୍ୟାନହୋଲ୍, ବିଦ୍ୟୁତ୍ ଆଘାତ ଏବଂ ଗଛ ପଡ଼ିବା ଭଳି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବର୍ଷାଜନିତ ବିପର୍ଯ୍ୟୟ ମୁମ୍ବାଇର ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। କିଛି ଦିନ ଧରି ଚାଲିଥିବା ଅବିରତ ବର୍ଷା ଯୋଗୁଁ ସହରର ଅଧିକାଂଶ ରାସ୍ତାରେ ପାଣି ଜମି ରହିଛି। ଅନେକ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ବର୍ଷା ମଧ୍ୟରେ ଘଟୁଥିବା ଦୁର୍ଘଟଣା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।
୩୦ ଜୁନରେ ମୁମ୍ବାଇରେ ଗଛ ପଡ଼ି ୧୧ ବର୍ଷୀୟ ବିହାନଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଡୋମ୍ବିଭାଲିର ହନୁମାନ ନଗର ଅଞ୍ଚଳରେ ବିଦ୍ୟୁତ୍ ଆଘାତ ଲାଗି ୪୨ ବର୍ଷୀୟ ଶଶି ଚକ୍ର ପ୍ରାଣ ହରାଇଥିଲେ। ବର୍ଷାଝଡ଼ ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୭ ବର୍ଷୀୟ ଆଲିଆଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ଅନ୍ଧେରିର ସାକିନାକା ଅଞ୍ଚଳରେ ଖୋଲା ମ୍ୟାନହୋଲ୍ରେ ପଡ଼ି ୫୫ ବର୍ଷୀୟ ଅସଲମ ଶେଖଙ୍କ ମୃତ୍ୟୁ। ସେ ଖୈରାନି ରୋଡ଼ରେ ଚାଲିଯାଉଥିବା ବେଳେ ପ୍ରାୟ ୧୫ ଫୁଟ ଗଭୀର ଖୋଲା ମ୍ୟାନହୋଲ୍ ରେ ପଡ଼ିଯାଇଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଅସଲମ ଶେଖଙ୍କ ମୃତ୍ୟୁ ପରେ ପରିବାର ଲୋକେ BMC ପ୍ରଶାସନ ଓ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି BMC ମେୟର ଋତୁ ତାୱଡେ ପ୍ରଶାସନିକ ତ୍ରୁଟି ଓ ଅବହେଳାକୁ ସ୍ୱୀକାର କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଘଟଣା ପରେ କଡ଼ା ପଦକ୍ଷେପ ନେଇ ସାକିନାକା ୱାର୍ଡ ଅଫିସରଙ୍କ ସମେତ ୪ ଜଣ BMC ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଖୋଲା ମ୍ୟାନହୋଲ୍ର କାମ ଅଧାରେ ଛାଡ଼ିଦେଇଥିବା ଠିକାଦାରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ଘଟଣାକୁ ନେଇ ବିଜେପି ବିଧାୟକ ଅମିତ୍ ସଟମ୍ ଅବହେଳାକାରୀ ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ସାକିନାକା ଦୁର୍ଘଟଣା ଉପରେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ଏହାପରେ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ମାଧୁରୀ ମିସାଲ ବିଧାନସଭାରେ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିବା ଜଣାପଡ଼ିଛି।
ପାଣିପାଗ ବିଭାଗ ଆଗାମୀ କିଛି ଦିନ ଯାଏଁ ମୁମ୍ବାଇ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି। ତେଣୁ ପ୍ରଶାସନ ପକ୍ଷରୁ ନାଗରିକମାନଙ୍କୁ ଜଳମଗ୍ନ ରାସ୍ତା, ଖୋଲା ମ୍ୟାନହୋଲ୍ ଏବଂ ବିଦ୍ୟୁତ୍ ତାର ନିକଟରୁ ଦୂରେ ରହିବା ସହ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।












Leave a Reply