ମହାରାଷ୍ଟ୍ରରେ ବର୍ଷାର ଭୟଙ୍କର ତାଣ୍ଡବ: ମୁମ୍ବାଇରେ ଭୂସ୍ଖଳନ, ୧୩ ମୃତ; ଏକ୍ସପ୍ରେସୱେ ବନ୍ଦ, ବିମାନ-ଟ୍ରେନ ସେବା ବ୍ୟାହତ

ଅକ୍ଷର ବ୍ୟୁରୋ: ମହାରାଷ୍ଟ୍ରରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ମୁମ୍ବାଇ, ପାଲଘର ଓ ରାୟଗଡ଼ ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ମୁମ୍ବାଇର ଦୁଇଟି ସ୍ଥାନରେ ଭୂସ୍ଖଳନ ଘଟିବାରୁ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍‌ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଚାଲିଛି।

ପ୍ରବଳ ବର୍ଷାର ପ୍ରଭାବରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ପୁରୁଣା ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଥିବାରୁ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ଜଳମଗ୍ନ, ପୁଲ ଓ ସଡ଼କ କ୍ଷତିଗ୍ରସ୍ତ ହେବା ସହ ରେଳ ଓ ବିମାନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବର୍ଷାଜନିତ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଅନେକ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ୱର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଲାଗୁ କରିଛନ୍ତି। ସେହିପରି ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ବାହାରିବାକୁ ପ୍ରଶାସନ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି।

ମହାରାଷ୍ଟ୍ର ସରକାରଙ୍କ ସୂଚନା ଅନୁଯାୟୀ, ମୁମ୍ବାଇ, ପାଲଘର ଓ ରାୟଗଡ଼ରେ ଗତ କିଛି ଦିନ ଧରି ରେକର୍ଡ ଭାଙ୍ଗିବା ବର୍ଷା ହୋଇଛି। ଏହାର ପ୍ରଭାବରେ ଗତ ତିନିରୁ ଚାରି ଦିନ ମଧ୍ୟରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ଓ ଜଳବନ୍ଦୀ ସମସ୍ୟା ଲୋକଙ୍କ ଦୈନନ୍ଦିନ ଜୀବନକୁ ଠପ୍ କରିଦେଇଛି।

ପ୍ରବଳ ବର୍ଷାର ପ୍ରଭାବ ବିମାନ ସେବା ଉପରେ ମଧ୍ୟ ପଡ଼ିଛି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୭ଟି ଉଡ଼ାଣ ବାତିଲ କରାଯାଇଥିବାବେଳେ ୨୧୭ଟି ଉଡ଼ାଣ ବିଳମ୍ବିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଦିଲ୍ଲୀରୁ ଚଳାଚଳ କରୁଥିବା ବିମାନ ସେବା ପାଇଁ ସ୍ୱତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି।

ଅନ୍ୟପଟେ, ମହାରାଷ୍ଟ୍ର ସରକାର ସ୍ଥିତିର ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ବିଭାଗ, ନଗର ନିଗମ ଓ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି। ମୁମ୍ବାଇ-ପୁଣେ ରାସ୍ତାରେ ଭୂସ୍ଖଳନ ପରେ ତୁରନ୍ତ ଯାତାୟାତ ବନ୍ଦ କରାଯାଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ ଜାରି ରହିଛି। ପରିସ୍ଥିତିକୁ ଦେଖି ସରକାର ସମସ୍ତଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା ସହ ପାହାଡ଼ିଆ ଅଞ୍ଚଳ, ଜଳପ୍ରପାତ ଓ ପର୍ଯ୍ୟଟନସ୍ଥଳକୁ ନ ଯିବାକୁ କଡ଼ା ପରାମର୍ଶ ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)