ଅକ୍ଷର ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶା ଉପକୂଳରେ ପାଗ ବଦଳିବା ସହ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ସତର୍କ କରିଛି। ଏହାର ପ୍ରଭାବ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଉପକୂଳରେ ସ୍ପଷ୍ଟ ଦେଖିବାକୁ ମିଳିଛି, ଯେଉଁଠାରେ ସମୁଦ୍ର ଉତ୍ତାଳ ରହିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ବନ୍ଦ କରିଦେଇଛନ୍ତି।
ଗତ ଦୁଇ ଦିନ ହେବ ମତ୍ସ୍ୟଜୀବୀମାନେ ନିଜର ଜାଲ ଓ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ଉଠାଇ ରଖିଛନ୍ତି। ସମୁଦ୍ରରେ ଉଚ୍ଚ ଢେଉଁ ଓ ପ୍ରତିକୂଳ ପାଗ ଯୋଗୁଁ ମାଛ ଧରିବାକୁ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏକପଟେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ପାଇଁ ଆଶା ଓ ଖୁସିର ଖବର ଆଣିଥିବା ବେଳେ, ଅନ୍ୟପଟେ ଏହା ଅସ୍ତରଙ୍ଗର ମତ୍ସ୍ୟଜୀବୀଙ୍କ ପାଇଁ ଜୀବିକାର ସଙ୍କଟ ସୃଷ୍ଟି କରିଛି। ପ୍ରତିଦିନ ସମୁଦ୍ରକୁ ଯାଇ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀମାନେ ଏବେ ଘରେ ବସି ରହିବାକୁ ବାଧ୍ୟ ହୋଇଛନ୍ତି।
ମତ୍ସ୍ୟଜୀବୀମାନଙ୍କ କହିବା ଅନୁଯାୟୀ, ଦୁଇ ଦିନ ଧରି ସମୁଦ୍ରକୁ ନ ଯିବାରୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ପରିବାର ଚଳାଇବାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। ପାଣିପାଗ ସ୍ୱାଭାବିକ ହେବା ପରେ ହିଁ ପୁଣି ସମୁଦ୍ରକୁ ଯାଇ ମାଛ ଧରିବା ସମ୍ଭବ ହେବ ବୋଲି ସେମାନେ କହିଛନ୍ତି। ଏପଟେ ପ୍ରଶାସନ ମଧ୍ୟ ପାଣିପାଗ ସତର୍କତାକୁ ପାଳନ କରିବା ସହ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପୁଣିଥରେ ଅନୁରୋଧ କରିଛି।
















Leave a Reply