ଶେଷ ହେଲା ଛଅ ବର୍ଷର ଅପେକ୍ଷା, ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର

ପୁରୀ: ଦୀର୍ଘ ଛଅ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭକ୍ତଙ୍କ ପାଇଁ ଖୋଲିଛି ଗୁଣ୍ଡିଚା ମନ୍ଦିର। ଆଜି, ବୁଧବାରଠାରୁ ଶ୍ରୀମନ୍ଦିର ପ୍ରଶାସନର ଘୋଷଣା ଅନୁସାରେ ସର୍ବସାଧାରଣ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ଓ ଦର୍ଶନର ଅନୁମତି ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। ଆଜିଠାରୁ ପ୍ରଥମ ୩ ଦିନ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ରହିଛି। ଏହାପରେ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ୧୦ ଟଙ୍କାର ଟିକେଟ୍‌ କିଣିବାକୁ ପଡ଼ିବ। ଭକ୍ତମାନଙ୍କ ପ୍ରବେଶ ସିଂହଦ୍ୱାର ଦେଇ ହେବା ସହ ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଯାଇଛି।

ଭକ୍ତଙ୍କ ସୁବିଧା ପାଇଁ ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଭକ୍ତମାନେ ମାଗଣାରେ ଜୋତା ଓ ମୋବାଇଲ୍‌ ରଖି ଧାଡ଼ିରେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ୫ ବର୍ଷରୁ କମ୍‌ ଶିଶୁ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଟିକେଟ୍‌ ବ୍ୟବସ୍ଥା ଲାଗୁ ହେବ ନାହିଁ। ଦିବ୍ୟାଙ୍ଗ, ମହିଳା ଓ ବୟୋଜ୍ୟେଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରର ଭିତର କାଠ ପର୍ଯ୍ୟନ୍ତ ଯାଇପାରିବେ। ସେହିଠାରୁ ଶ୍ରୀମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବାର ସୁଯୋଗ ମିଳିବ। ପ୍ରବେଶ ଓ ପ୍ରସ୍ଥାନ ପାଇଁ ସମାନ ଦ୍ୱାରରେ ବ୍ୟବସ୍ଥା କରାଯାଇଛି।

୨୦୨୦ରେ କୋଭିଡ୍‌ ମହାମାରୀ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଥିଲା। ପରେ କୋଭିଡ୍‌ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିନଥିଲା। ଫଳରେ ଦୂରଦୂରାନ୍ତରୁ ଭକ୍ତମାନେ ଦର୍ଶନ ପାଇଁ ଆସିଥିଲେ ମଧ୍ୟ ମନ୍ଦିର ଦର୍ଶନ ନକରି ଫେରିବାକୁ ପଡ଼ୁଥିଲା। ଛଅ ବର୍ଷ ପରେ ଗୁଣ୍ଡିଚା ମନ୍ଦିର ଖୋଲିବା ପରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ମାହୋଲ୍‌ ଦେଖାଦେଇଛି। ନୂଆ ଦର୍ଶନ ବ୍ୟବସ୍ଥା ସହ ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial