ଅକ୍ଷର ବ୍ୟୁରୋ: ପୁରୀରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୁବଶୀଘ୍ର ହେବ ସ୍ଲଟ୍ ବୁକିଂ ବ୍ୟବସ୍ଥା । ବଡ଼ ଦେଉଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ସେ କହିଛନ୍ତି, ଶ୍ରୀମନ୍ଦିରରେ ଦର୍ଶନକୁ ସୁଗମ କରିବା ପାଇଁ ବିଭିନ୍ନ ରାସ୍ତା ଆପଣା ଯାଉଛି । ଖୁବଶୀଘ୍ର ସ୍ଲଟ୍ ବୁକିଙ୍ଗ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଉଭୟ ଲାଇନ ଏବଂ ସ୍ଲଟ୍ ବୁକିଂ ଦର୍ଶନ ଜାରି ରହିବ । ସ୍ଲଟ୍ ବୁକିଂ କରିଥିବା ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଧିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ନେଇ ଚିନ୍ତା କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ୍ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଯାହାଫଳରେ ବୃଦ୍ଧ ଏବଂ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଦର୍ଶନରେ ସହଜ ହେବ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ୍ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ସଫଳ ହେଲେ ଏହାକୁ ସ୍ଥାୟୀ ରୂପ ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି । ମ୍ୟାନେଜିଂ କମିଟି ସହିତ ଆଲୋଚନା ପରେ ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ନେଇ ନିଷ୍ପତ୍ତି ନିଆଯିବ । ନାଟମଣ୍ଡପକୁ ମଧ୍ୟ ଏୟାର କଣ୍ଡିସନଙ୍ଗି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଭଳି ଧାଡି ଦର୍ଶନକୁ ନେଇ ପ୍ରସ୍ତୁତ ଏସଓପିକୁ ଖୁବଶୀଘ୍ର ଲାଗୁ କରାଯିବ । ମନ୍ଦିରରେ ଏକାସାଙ୍ଗରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଏକା ସମୟରେ ଦର୍ଶନ କରିପାରିବେ । ସମସ୍ତ ଜିନିଷକୁ ନଜରରେ ରଖି ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।












Leave a Reply