ରଥଯାତ୍ରାରେ କଡ଼ାକଡ଼ି କର୍ଡନ୍ ପାସ୍ ବ୍ୟବସ୍ଥା; କେବଳ ନୀତିକାନ୍ତି ଓ ପରିଚାଳନାରେ ନିୟୋଜିତଙ୍କୁ ମିଳିବ ଅନୁମତି

ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର କର୍ଡନ୍ ପାସ୍ ବ୍ୟବସ୍ଥାରେ କଡ଼ାକଡ଼ି ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଏଥର ଆଉ ମନଇଚ୍ଛା କର୍ଡନ୍ ପାସ୍ ବଣ୍ଟନ ହେବ ନାହିଁ। କେବଳ ଯେଉଁମାନେ ରଥଯାତ୍ରା ପରିଚାଳନା, ଶ୍ରୀଜିଉଙ୍କ ନୀତିକାନ୍ତି ଏବଂ ଜରୁରୀ ସେବାରେ ସିଧାସଳଖ ଭାବେ ନିୟୋଜିତ ରହିବେ, ସେମାନଙ୍କୁ ହିଁ କର୍ଡନ୍ ପାସ୍ ପ୍ରଦାନ କରାଯିବ।

ରଥଯାତ୍ରା ସମୟରେ ଅନାବଶ୍ୟକ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଏବଂ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ନ ହେବାକୁ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି। କର୍ଡନ୍ ଅଞ୍ଚଳରେ କେବଳ ଅନୁମୋଦିତ ବ୍ୟକ୍ତିଙ୍କ ପ୍ରବେଶ ସୁନିଶ୍ଚିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି ଯେ, କର୍ଡନ୍ ଅଞ୍ଚଳକୁ ବେନିୟମ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଶାଳୀନତାର ସହ ବାରଣ କରାଯିବ। କୌଣସି ପରିସ୍ଥିତିରେ ନିୟମରେ କୋହଳ କରାଯିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ରଥଯାତ୍ରା ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ପୁରୀରେ ସମବେତ ହୁଅନ୍ତି। ଏପରି ପରିସ୍ଥିତିରେ ଭିଡ଼ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ସେବାୟତମାନଙ୍କ ନୀତିକାନ୍ତିକୁ ନିରବିଘ୍ନ କରିବା ପାଇଁ କର୍ଡନ୍ ପାସ୍ ବ୍ୟବସ୍ଥାରେ କଡ଼ାକଡ଼ି କରାଯାଇଛି। ପ୍ରଶାସନର ବିଶ୍ୱାସ, ଏହି ବ୍ୟବସ୍ଥା ଦ୍ୱାରା କର୍ଡନ୍ ଅଞ୍ଚଳରେ ଅନାବଶ୍ୟକ ଭିଡ଼ କମିବ, ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତି ମଧ୍ୟରେ ରଥଯାତ୍ରା ସୁରୁଖୁରୁରେ ଓ ଶୃଙ୍ଖଳାର ସହ ସମ୍ପନ୍ନ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)