ଅକ୍ଷର ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ଟ୍ରାଫିକ ବ୍ୟବସ୍ଥା କରିଛି। ଏହାର ଅଂଶ ସ୍ୱରୂପ ଭାରିଯାନ ଚଳାଚଳ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଜାରି କରାଯାଇଛି। ଏନେଇ ପୁରୀ ଜିଲ୍ଲାପାଳ ଗାଇଡ୍ଲାଇନ୍ ଜାରି କରିଥିବା ବେଳେ ପୁଲିସ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମନ୍ୱିତ ପ୍ରସ୍ତୁତି କରାଯାଇଛି।
ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜୁନ୍ ୩୦ରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ମଙ୍ଗଳାଘାଟରୁ ସାତପଡ଼ା ରାସ୍ତା ଏବଂ ଖଜୁରିଆରୁ ବ୍ରହ୍ମଗିରି ମାର୍କେଟ ଛକ ପର୍ଯ୍ୟନ୍ତ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରଶାସନ ପକ୍ଷରୁ ସାଧାରଣ ଲୋକ ଓ ଭାରିଯାନ ଚାଳକଙ୍କୁ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଟ୍ରାଫିକକୁ ସୁଚାରୁ ରଖିବା ଏବଂ ଭକ୍ତମାନଙ୍କ ଯାତାୟାତକୁ ସୁରକ୍ଷିତ କରିବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ଅପିଲ କରାଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ), ପୁରୀ ମଧ୍ୟ ସମସ୍ତ ଗାଡ଼ି ଚାଳକଙ୍କୁ ଏହି ଟ୍ରାଫିକ ନିର୍ଦ୍ଦେଶାବଳୀ ପାଳନ କରିବା ଓ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ ଅନୁରୋଧ କରିଛି।
ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ପ୍ରତିବନ୍ଧକ ଓଡ଼ିଶା ମୋଟର ଯାନ ନିୟମାବଳୀ–୧୯୯୩ର ନିୟମ ୧୭୩ ଅନୁଯାୟୀ ଜାରି କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା, ଅନବସର କାଳ ଓ ଅଲାରନାଥ ଯାତ୍ରା ସମୟରେ ବ୍ରହ୍ମଗିରି ଏବଂ ପୁରୀରେ ଭକ୍ତଙ୍କ ଭିଡ଼କୁ ସୁଚାରୁ ଢଙ୍ଗରେ ପରିଚାଳନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଏବଂ ପରବର୍ତ୍ତୀ ଅଲାରନାଥ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଥିବାରୁ ସୁରକ୍ଷା, ଟ୍ରାଫିକ ଓ ଯାତାୟାତ ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।












Leave a Reply