ବାଲେଶ୍ୱର: ବାଲେଶ୍ୱରରେ ସୁବର୍ଣ୍ଣରେଖା ବନ୍ୟା ସ୍ଥିତିରେ ଆସିଛି ସୁଧାର। ଜଳେଶ୍ୱରଠାରେ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ତଳକୁ ଖସିଛି। ଗତକାଲି ଜଳସ୍ତର ସର୍ବୋଚ୍ଚ ସୀମାରେ ପହଞ୍ଚିଥିବା ବେଳେ ଏବେ ପାଣି କମିବାରେ ଲାଗିଛି। ଆଗକୁ ଆଉ ଜଳସ୍ତର ବଢ଼ିବାର ଆଶଙ୍କା ନଥିବା ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ବି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଲେଶ୍ୱରର ପ୍ରାୟ ୪୦ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ SOP ଅନୁସାରେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ପଲିଥିନ୍, ପିଇବା ପାଣି ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।
ପ୍ରଶାସନର ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ପାଣି ବୋତଲ ଓ ୪୦୦ ମେଟ୍ରିକ୍ ଟନ୍ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସେହିପରି ୭୫ଟି ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ୪ଟି ODRF ଟିମ୍, ୪ଟି NDRF ଟିମ୍ ଓ ୧୨ଟି ଅଗ୍ନିଶମ ବାହିନୀ ଦଳ ନିୟୋଜିତ ହୋଇଛନ୍ତି। ଏହାସହ ସ୍ଥାନୀୟ ଉଦ୍ଧାରକାରୀ ଟିମ୍ ଓ ଡଙ୍ଗାକୁ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି। ବନ୍ୟା ପରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମଧ୍ୟ ପ୍ରଶାସନ ସତର୍କ ରହିଛି। ୩ଟି ମେଡିକାଲ୍ ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଜଳବାହିତ ରୋଗ ଯେପରି ନ ବ୍ୟାପେ, ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ଜଳସ୍ତର ସମ୍ପର୍କରେ ନୂଆ ସୂଚନା ମିଳିଲେ ତୁରନ୍ତ ଲୋକଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।













Leave a Reply