ଭିଜିଲାନ୍ସ ଜାଲରେ ତହସିଲଦାର: ସ୍କର୍ପିଓରୁ ମିଳିଲା ୫ ଲକ୍ଷ ନଗଦ, ୩ ସ୍ଥାନରେ ଏକକାଳୀନ ଚଢ଼ାଉ

ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲ। ଲାଠିକଟା ଅଫିସରୁ ରାଉରକେଲାସ୍ଥିତ ଘରକୁ ଯାଉଥିବା ବେଳେ ତହସିଲଦାରଙ୍କ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ସୂଚନା ଅନୁସାରେ, ମୁରଲୀଧର ଉର୍ମାଲ ଲାଠିକଟା ଅଫିସରୁ ଏକ ଭଡ଼ା ଅଫିସିଆଲ୍ ସ୍କର୍ପିଓରେ ରାଉରକେଲାସ୍ଥିତ ଘରକୁ ଯାଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା, ଏହାର ପ୍ରକୃତ ଉତ୍ସ କ’ଣ ସେନେଇ ତହସିଲଦାର ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଫଳରେ ସମ୍ପୂର୍ଣ୍ଣ ୫ ଲକ୍ଷ ଟଙ୍କାକୁ ଜବତ କରାଯାଇଛି। ଏହାସହ ତହସିଲଦାର ଯେଉଁ ସ୍କର୍ପିଓରେ ଯାଉଥିଲେ, ସେହି ଗାଡ଼ିକୁ ମଧ୍ୟ ତଦନ୍ତର ଅଂଶ ଭାବେ ଜବତ କରାଯାଇଛି। ଏହି ଘଟଣା ପରେ ମୁରଲୀଧର ଉର୍ମାଲଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ। ଆୟଠାରୁ ଅଧିକ ସମ୍ପତ୍ତି ବା ଡିସପ୍ରପୋର୍ସନେଟ୍ ଆସେଟ୍ସ ଦିଗରୁ ମଧ୍ୟ ତଦନ୍ତ ଚାଲିଥିବା ସୂଚନା ମିଳିଛି। ତେବେ ଭିଜିଲାନ୍ସ ତଦନ୍ତର ମୁଖ୍ୟ ପ୍ରଶ୍ନ ହେଉଛି ୫ ଲକ୍ଷ ଟଙ୍କାର ପ୍ରକୃତ ଉତ୍ସ କ’ଣ? ଏହି ଟଙ୍କା କେଉଁଠୁ ଆସିଥିଲା? ଏବଂ ତିନୋଟି ସ୍ଥାନରେ ଚଢ଼ାଉ ବେଳେ ଆଉ କ’ଣ କ’ଣ ମିଳିଛି? ଏସବୁ ଦିଗରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial