ଯେକୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; କିଛି ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅକ୍ଷର ବ୍ୟୁରୋ: ଯେକୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । କିଛି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଦଳ ଓ ସରକାର ଏହା ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ସମ୍ଭବତଃ ଖୁବଶୀଘ୍ର ଏହା ଶେଷ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । କାହାକୁ ମିଳିବ କେଉଁ ମନ୍ତ୍ରୀ ପଦ ସେନେଇ ଚର୍ଚ୍ଚା ଜୋର ଧରିଲାଣି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦୁହେଁ ଦିଲ୍ଲୀ ଗସ୍ତରେ ଅଛନ୍ତି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେପି ଶିବିରରେ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଉଭୟ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଥିବା ବେଳେ କିଛି ଏଭଳି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ଏହାକୁ ନେଇ ବଢିଛି ଚର୍ଚ୍ଚା ।

ଆସନ୍ତା ଜୁନରୁ ରାଜ୍ୟରେ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ପୂରିବ । ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ଏହି ପଦ ପୂରଣ ସହ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଓ ସମ୍ପ୍ରସାରଣ ନେଇ ଗତ କିଛିଦିନ ହେବ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହାସହ ନିଗମ, ବୋର୍ଡ ଆଦିରେ ଦଳୀୟ ନେତାମାନଙ୍କୁ ନିଯୁକ୍ତ କରିବା ନେଇ ଦୀର୍ଘଦିନରୁ ପ୍ରକ୍ରିୟା ଲଟକି ରହିଛି । ଏସବୁ ଦିଗରେ କିଛି ବଡ଼ ନିଷ୍ପତ୍ତି ଖୁବଶୀଘ୍ର ହୋଇପାରେ ବୋଲି ଚିନ୍ତା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)