ଅକ୍ଷର ବ୍ୟୁରୋ: ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ବସିବ ପ୍ରଥମ ସମନ୍ୱୟ ବୈଠକ । ଆର୍ଡିସି (ସେଣ୍ଟ୍ରାଲ ଡିଭିଜନ)ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଆଇନ ବିଭାଗର ସଚିବ, ପୁଲିସ ବିଭାଗର ପ୍ରମୁଖ ଅଧିକାରୀ, ପ୍ରାଶାସନିକ ଅନ୍ୟ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ପ୍ରାଶାସନିକ କେତେକ ପ୍ରମୁଖ ଅଧିକାରୀ ଯୋଗଦେବେ । ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ନିମନ୍ତେ ପାଇଥିବା ଦାୟିତ୍ୱ କେତେ ତୁଲାଇଛନ୍ତି ତାହାକୁ ସମୀକ୍ଷା କରିବେ । ବୈଠକରେ ଉପସ୍ଥିତ ସେବାୟତ, ବୁଦ୍ଧିଜୀବୀମାନଙ୍କ ମତାମତ ଅନୁଯାୟୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନିମନ୍ତେ ବୈଠକରେ ଅଧିକାରୀଙ୍କୁ ଦାୟିତ୍ୱ ଦେବେ ଆର୍ଡିସି । ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କଲେ ତ୍ରୁଟିଶୂନ୍ୟ ରଥଯାତ୍ରା ହେବ ବୋଲି କହିଛନ୍ତି ସେବାୟତ ।
ସେପଟେ ପୁଲିସ-ଭକ୍ତ ଯୋଗାଯୋଗ ବୃଦ୍ଧି ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିବ ଏଲଇଡି । ମିଳିବ ଦରକାରୀ ସୂଚନା । ରଥଯାତ୍ରାକୁ ଶୃଙ୍ଖଳିତ ପାଳନ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଫେବ୍ରୁଆରୀ ମାସରେ ହୋଇଥିବା ବୈଠକରେ ପ୍ରାଶାସନିକ ଅଧିକାରୀଙ୍କୁ ଦିଆଯାଇଥିବା ଦାୟିତ୍ୱ ଏପର୍ଯ୍ୟନ୍ତ ଠିକଣା ସମୟରେ ସରିନାହିଁ । ଏପ୍ରିଲ୍ ଶେଷ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ବିକାଶ ସାରିବେ ବୋଲି ବିଭାଗୀୟ ଅଧିକାରୀ କହିଥିଲେ ହେଁ ସଂପୂର୍ଣ୍ଣ ହୋଇନାହିଁ । ଅନ୍ୟପଟରେ ଫାଷ୍ଟଏଡ ଓ ଆମ୍ବୁଲାନ୍ସ ସେବା ପାଇଁ ଏସଓପି ଜାରି ହେବା ସହ ଆମ୍ବୁଲାନ୍ସ ଚଳାଚଳ ପାଇଁ ରହିବ ଫୋକସ । ଏଥିସହ ସିସିଟିଭି ସର୍ଭେଲାନ୍ସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ । ଅନ୍ୟପଟେ ରଥଯାତ୍ରା ପୂର୍ବରୁ ପୁରୀକୁ ଅପରାଧମୁକ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।













Leave a Reply