ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ; ଦିନରେ ତାପମାତ୍ରା ବୃଦ୍ଧି ହେବା ସହ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

ଅକ୍ଷର ବ୍ୟୁରୋ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ତେବେ ଏହା ଅବପାତରେ ପରିଣତ ହେବାର ବିଶେଷ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୪ ତାରିଖରେ ବି ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୫, ୧୬ ଓ ୧୭ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି ।

ସେହିପରି ଗତକାଲି ରାତିରେ ରାଜଧାନୀ ସମେତ ରାଜ୍ୟର ବହୁ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ନିର୍ଧୁମ ବର୍ଷା ଢାଳିବାରୁ ବହୁ ସ୍ଥାନରେ ପାଣି ଜମିଥିଲା । ଗତ ତିନି ଦିନ ହେଲା ଗରମ ଓ ଗୁଳୁଗୁଳି ଅସହ୍ୟ କରୁଥିଲା । କିନ୍ତୁ ରାତିର ବର୍ଷା ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଏପଟେ ତାପମାତ୍ରା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ବଲାଙ୍ଗୀରରେ ୪୦.୨, ସମ୍ବଲପୁରରେ ୪୦.୧, ଭବାନୀପାଟଣାରେ ୪୦, ଝାରସୁଗୁଡ଼ାରେ ୩୯.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଆସନ୍ତା ୫ଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)