ଆଜିଠୁ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜା, ସହସ୍ରକୁମ୍ଭାଭିଷେକରେ ଶାରଦୀୟ ପୂଜାର ଶୁଭାରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେବ ଶାରଦୀୟ ପୂଜାର ଆଧ୍ୟାତ୍ମିକ ପର୍ବ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ସହସ୍ରକୁମ୍ଭାଭିଷେକ ସହ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜା। ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ଧରି ମା’ ବିମଳାଙ୍କ ସ୍ୱତନ୍ତ୍ର ପୂଜା ଓ ନୀତିକାନ୍ତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ, ଏହି ୧୬ ଦିନ ମା’ ବିମଳାଙ୍କ ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷେଧ ରହିଥାଏ। ଏହି ଅବସରରେ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ। ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଓ ନଡ଼ିଆ ପ୍ରଦାନ କରାଯିବ। ପରେ ଏହି ଗୁଆ ଓ ନଡ଼ିଆ ଦେଇ ରାଜଗୁରୁ ପୁରୋହିତ ଗଜପତି ମହାରାଜଙ୍କ ପ୍ରତିନିଧି ଭାବେ ବ୍ରାହ୍ମଣମାନଙ୍କୁ ବରଣ କରିବେ। ମା’ ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଚ୍ଛା, ଚଣ୍ଡୀପାଠକ, ସହସ୍ରନାମ ପାଠକ ଓ ମନ୍ତ୍ରଯାପକଙ୍କୁ ରାଜଗୁରୁ ପୁରୋହିତ ବରଣ କରିବେ। ସେହିପରି ଶ୍ରୀମନ୍ଦିର ବେଢ଼ା ପରିସରରେ ଥିବା ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଓ ମା’ ଉତ୍ତରାୟଣୀଙ୍କ ପୀଠ ପାଇଁ ମଧ୍ୟ ପୂଜକ ଓ ଚଣ୍ଡୀପାଠକ ବରଣ କରାଯିବ।

କେବଳ ଶ୍ରୀମନ୍ଦିର ନୁହେଁ, ସମଗ୍ର ଶ୍ରୀକ୍ଷେତ୍ରରେ ମଧ୍ୟ ଶାରଦୀୟ ଶକ୍ତି ଉପାସନାର ପରିବେଶ ସୃଷ୍ଟି ହେବ। ଶ୍ରୀକ୍ଷେତ୍ରରେ ଥିବା ଆଲମଚଣ୍ଡୀ, କପିଳେଶ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀ, ଦକ୍ଷିଣକାଳୀଙ୍କ ସମେତ ବିଭିନ୍ନ ଶକ୍ତିପୀଠରେ ମଧ୍ୟ ଆରମ୍ଭ ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଷୋଡ଼ଶଦିନାତ୍ମକ ପୂଜା ପରେ ଶାରଦୀୟ ଦୁର୍ଗାପୂଜାରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ। ଏହାପରେ ବିଜୟାଦଶମୀ ଅବସରରେ ଆୟୁଧ ପୂଜା ଅନୁଷ୍ଠିତ ହେବ। ଏଥିସହ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗୋତ୍ସବର ଧାର୍ମିକ ପରମ୍ପରା ଆହୁରି ଉତ୍ସବମୁଖର ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial