ଅକ୍ଷର ବ୍ୟୁରୋ: ସୋମବାର ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ସଦସ୍ୟମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ, କେଉଁ ମାନେ ଭିତରେ ଏବଂ ବାହାରେ ରହିବେ, କ’ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା ।
ତେବେ ଏସଓପି ଅନୁଯାୟୀ ପ୍ରତିଦିନ ଜିଲ୍ଲା ଟ୍ରେଜେରୀରୁ ଭିତର ରତ୍ନଭଣ୍ଡାରର ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ଗଣତି ମଣତି କାର୍ଯ୍ୟ ଶେଷ ପରେ ପ୍ରତ୍ୟେକ ଦିନ ଭିତର ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ । ରତ୍ନ ଅଳଙ୍କାର ବିଶେଷଜ୍ଞ, ଆରବିଆଇ ଅଧିକାରୀ ଉପସ୍ଥିତ ରହି ପ୍ରତ୍ୟେକ ରତ୍ନ ଅଳଙ୍କାରର ଗଣତି ମଣତି କରିବା ସହ ରତ୍ନ ଅଳଙ୍କାରର ଓଜନ ଏବଂ କେଉଁ ପ୍ରକାରର ମୋତି ମାଣିକ୍ୟ ରହିଛି ତା’ର ଚିହ୍ନଟ କରିବେ । ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲକ ପ୍ରସ୍ତୁତ କରାଯିବ । ଯାହାଫଳରେ ଆଗାମୀ ଦିନରେ ଯଦି କେବେ ଗଣତି ମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ।












Leave a Reply