ଆଜି ପବିତ୍ର ଶାମ୍ବ ଦଶମୀ; ଭକ୍ତଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ ।

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ଶାମ୍ବ ଦଶମୀ। ଏହି ଦିନରେ ସୂର୍ଯ୍ୟ ପୂଜା କଲେ, ମହାପାତକ କ୍ଷୟ ହୁଏ ବୋଲି କୁହାଯାଏ। ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରଯାଇଛି। ଗୋଟିଏ ଦିନ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମନ୍ଦିର କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସନ୍ତାନ୍ତଙ୍କ ମଙ୍ଗଳ କାମନା କରି ଆଜିର ଦିନରେ ମା’ ମାନେ ସୂର୍ଯ୍ୟ ପୂଜା କରିଥାନ୍ତି। ପୁରାଣ ବର୍ଣ୍ଣିତ କାହାଣୀ ଅନୁସାରେ ଦ୍ୱାପର ଯୁଗରେ କୃଷ୍ଣଙ୍କ ପୁଅ ଶାମ୍ବ ସୂର୍ଯ୍ୟଦେବଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ।

ନାରୀମାନେ ନିଜ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ। ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି। ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି। ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ। ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ। ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ। ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ। ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ। 

ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ। ଏହି ଉପପୁରାଣ ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ। ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀଙ୍କ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି। ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳିରେ ସମ୍ବର ଦଶମୀ କୁହାଯାଏ। କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ। ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ। ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ। ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନ ଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ।

ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ। ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନ୍ତେ ଅଭିଶାପ ଦେଲେ। ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ। ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ। ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ। ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)