ରଥଯାତ୍ରା ଡ୍ୟୁଟି ବେଳେ ଅଘଟଣ: ସତ୍ୟବାଦୀରେ ହୋମଗାର୍ଡଙ୍କ ଅକାଳ ମୃତ୍ୟୁ, ଶୋକରେ ସୁରକ୍ଷା ବାହିନୀ

ଅକ୍ଷର ବ୍ୟୁରୋ: ରଥଯାତ୍ରା ସୁରକ୍ଷା ଡ୍ୟୁଟି ବେଳେ ଘଟିଛି ଏକ ଦୁଃଖଦ ଘଟଣା। ପିପିଲି ରଥଯାତ୍ରା ପାଇଁ ଡ୍ୟୁଟିରେ ଆସିଥିବା ଜଣେ ହୋମଗାର୍ଡଙ୍କର ହଠାତ୍ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ପ୍ରଦୀପ ମହାନ୍ତ। ଏହି ଘଟଣା ପରେ ସୁରକ୍ଷା ବାହିନୀ, ସହକର୍ମୀ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ପିପିଲି ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଦୀପ ମହାନ୍ତଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା। ସେ ସତ୍ୟବାଦୀ ଅଞ୍ଚଳର ଏକ ସ୍କୁଲ କୋଠରୀରେ ରହୁଥିବା ବେଳେ, ହଠାତ୍ ଶୋଇଥିବା ସମୟରେ ତାଙ୍କର ବାନ୍ତି ହୋଇଥିଲା ଏବଂ ପାଟିରୁ ଫେଣ ବାହାରିଥିବା ସହକର୍ମୀମାନେ ଦେଖିଥିଲେ। ଘଟଣା ପରେ ସହକର୍ମୀମାନେ ବିଳମ୍ବ ନକରି ତାଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପ୍ରଦୀପ ମହାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

ରଥଯାତ୍ରା ଭଳି ବିଶାଳ ଧାର୍ମିକ ସମାରୋହରେ ସୁରକ୍ଷା ଦାୟିତ୍ୱ ପାଳନ କରୁଥିବା ସମୟରେ ଜଣେ କର୍ମଚାରୀଙ୍କ ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି। ସହକର୍ମୀମାନେ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ କୋହଭରା ପରିବେଶ ସୃଷ୍ଟି ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ, ମେଡିକାଲ ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial