ପୁଣି ଅଲୋଡ଼ା ଶିଶୁକନ୍ୟା! ରାସ୍ତାକଡ଼ ବୁଦାମୂଳରୁ ନବଜାତକ ଉଦ୍ଧାର

ପୁରୀ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପୁରୀ ଜିଲ୍ଲା ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ମୁଖ୍ୟ ରାସ୍ତାକଡ଼ରୁ ଜଣେ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ଏକ ଡିମିରି ବୁଦା ମୂଳରେ ଶିଶୁଟିକୁ ଛାଡ଼ି ଦିଆଯାଇଥିବା ବେଳେ ସେ କାନ୍ଦୁଥିବା ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ, ଗତକାଲି କାକଟପୁର ଅଞ୍ଚଳର ଜଣେ ମହିଳା ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ । ଆଜି ସନ୍ଧ୍ୟାରେ ମହିଳା ଜଣକ ନବଜାତ ଶିଶୁକୁ ସାଙ୍ଗରେ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରିଥିବା ଜଣାପଡ଼ିଛି । ପରେ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ଡିମିରି ବୁଦା ମୂଳରେ ଶିଶୁଟିକୁ ଛାଡ଼ି ଦେଇ ଚାଲିଯାଇଥିବା ଅଭିଯୋଗ ହୋଇଛି । ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଶିଶୁର କାନ୍ଦଣା ଶୁଣି ବୁଦା ନିକଟକୁ ଯାଇଥିଲେ । ସେଠାରୁ ନବଜାତକୁ ଉଦ୍ଧାର କରି ତୁରନ୍ତ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତରମାନେ ଶିଶୁଟିକୁ ଶିଶୁ ବିଭାଗ ୱାର୍ଡରେ ରଖି ଚିକିତ୍ସା କରିଥିଲେ । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ପରେ ନବଜାତ ଶିଶୁକନ୍ୟାଙ୍କୁ ପୁରୀ ଜିଲ୍ଲା ଶିଶୁ କଲ୍ୟାଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଶିଶୁଟିକୁ କେଉଁ ପରିସ୍ଥିତିରେ ରାସ୍ତାକଡ଼ରେ ଛାଡ଼ି ଦିଆଗଲା, ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial